ଅଭିଯୋଗକାରୀ ପ୍ଲାନିଂ ଅଫିସର ଅଭିଯୁକ୍ତ

ସମ୍ବଲପୁର,୮ା୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସ୍‌ଡିଏ) ଅଫିସରେ ଚାଲିଥିବା ଜାଲିଆତି ନେଇ ପ୍ଲାନିଂ ଅଫିସର ବନ୍ଦିତା ମହାପାତ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ଗତମାସ ୨୨ତାରିଖରେ ୨ କର୍ମଚାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଖୋଦ୍‌ ଅଭିଯୋଗକାରୀ ଏବେ ଅଭିଯୁକ୍ତ ହୋଇଯାଇଛନ୍ତି। ଅଇଁଠାପାଲି ଥାନାରେ ପୋଲିସ ଏକ ମାମଲା (ନଂ.୩୬୯/୨୩) ରୁଜୁ କରି ଅଭିଯୁକ୍ତ ବନ୍ଦିତାଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ଅସ୍ଥାୟୀ କର୍ମଚାରୀ ମାନସ ଚଇନିଙ୍କୁ ମଧ୍ୟ ଗିରଫ କରାଯାଇଥିବା ଅତିରିକ୍ତ ଏସ୍‌ପି ଅଲବୁନସ କେରକେଟା କହିଛନ୍ତି।
କେରକେଟା ଆହୁରି କହିଥିଲେ, ଅଇଁଠାପାଲି ଥାନା ଅଞ୍ଚଳର ଦେବରାଜ ସାହୁ ଅଭିଯୋଗ କରିଥିଲେ ଯେ, ତାଙ୍କ ଘର ନିର୍ମାଣ ଅନୁମତିପତ୍ର ପାଇଁ ଆବେଦନ କରିଥିଲେ। ପ୍ଲାନିଂ ଅଫିସର ବନ୍ଦିତାଙ୍କୁ ଭେଟିବା ପରେ ସେ ଟଙ୍କା ଦେବାକୁ କହିଥିଲେ। ତଦନୁଯାୟୀ ଏପ୍ରିଲରେ ୨ ଲକ୍ଷ ୬୦ ହଜାର ଟଙ୍କା ଅଭିଯୁକ୍ତ ମାନସ ଓ ଏସ୍‌ଡିଏର ସହକାରୀ କିରାଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କୁ ଦେଇଥିଲେ। ଏହି ଅଧାରରେ ପୋଲିସ ଗିରଫ କରିଛି ବୋଲି କହିଥିଲେ।
ଅନ୍ୟପକ୍ଷେ ପୋଲିସ ବନ୍ଦିତାଙ୍କୁ ଗିରଫ କରି ମାମଲାକୁ ଚାପିଦେବାକୁ ଉଦ୍ୟମ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ବନ୍ଦିତାଙ୍କୁ ଅଭିଯୁକ୍ତ କରି ଏସ୍‌ଡିଏର କେତେଜଣ ପୂର୍ବତନ ଅଧିକାରୀ ଓ କର୍ମଚାରୀ ବର୍ତ୍ତିଯିବା ପାଇଁ ଉଦ୍ୟମ କରୁଥିବାରୁ ଏହାର ତଦନ୍ତ ଦାବି ହେଉଛି। ସୂଚନାଯୋଗ୍ୟ ଗତ ୨୨ତାରିଖରେ ଜାଲିଆତି କରି ଘର ନିର୍ମାଣ ଅନୁମତି ଦେବା ନେଇ ପ୍ଲାନିଂ ଅଫିସର ବନ୍ଦିତାଙ୍କ ଅଭିଯୋଗକ୍ରମେ ପୋଲିସ ମୁଖ୍ୟ ଅଭିଯୁକ୍ତ ଏସ୍‌ଡିଏର ସହକାରୀ କିରାଣି ସାମଲ, ଝାଡୁଆପଡ଼ାର ସୁଧାଂଶୁ କିଶୋର ପତି, ଅଇଁଠାପାଲି ଥାନା କାଇଁସିର ଅଜୟ କୁମାର ବେହେରା, ଚାରମାଳ ଥାନା ବଡମାଲ ଗ୍ରାମର ବିକାଶ ଜଗତ, ଧନୁପାଲି ଥାନା କୁଲୁତକାନୀର ଏସ୍‌ଡିଏର ମନ୍ଦିର ପୂଜକ ଦାମୋଦର ତ୍ରିପାଠୀଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ଆକାଉଣ୍ଟରୁ ୩କୋଟି ୩୧ ଲକ୍ଷ ୯୬ ହଜାର ୨୨୭ ଟଙ୍କା ସହ ୨ଟି କାର୍‌, ଗୋଟିଏ ମୋଟରସାଇକେଲ, କମ୍ପ୍ୟୁଟର, ଦସ୍ତାବିଜ ଜବତ କରିଥିଲା। ଅଭିଯୁକ୍ତ ସାମଲ ଗିରଫ ହେବାର ୩ମାସ ପୂର୍ବରୁ ଏସ୍‌ଡିଏ ଛାଡି ଆର୍‌ଡିସି ଅଫିସରେ ଅସ୍ଥାୟୀ ଭାବେ ଚାକିରି କରୁଥିଲେ। ସାମଲ କିପରି ଆର୍‌ଡିସି ଅଫିସରେ ଚାକିରି ପାଇଲେ, ଯାହା ତଦନ୍ତସାପେକ୍ଷ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Share