Categories: ଜାତୀୟ

ମମତାଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ

ନୂଆଦିଲ୍ଲୀ,୩୦ା୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୃଣମୂଳ ଛାତ୍ର ପରିଷଦର ଏକ କାର୍ଯ୍ୟକ୍ରମରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚେତାବନୀ ଦେଇଥିଲେ। ଯଦି ପଶ୍ଚିମବଙ୍ଗରେ ନିଆଁ ଲାଗେ ତେବେ ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଦିଲ୍ଲୀ ଜଳିବ ବୋଲି ମମତା କହିଥିଲେ। ଅରାଜକତା ସୃଷ୍ଟି ନିମନ୍ତେ ଉସୁକାଇବା ପାଇଁ ମମତା ଏଭଳି ଉତ୍ତେଜନାପୂର୍ଣ୍ଣ ବକ୍ତବ୍ୟ ଦେଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟର ଆଇନଜୀବୀ ବିନୀତ ଜିନ୍ଦଲ ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି। ମମତାଙ୍କ ମନ୍ତବ୍ୟ ଉତ୍ତେଜନାପୂର୍ଣ୍ଣ, ଆଞ୍ଚଳିକ ହିଂସା ଓ ଶତ୍ରୁତା ବଢ଼ାଇବା ପାଇଁ ଉଦ୍ଦିଷ୍ଟ ଏବଂ ଜାତୀୟ ସୌହାର୍ଦ୍ଦ୍ୟ ତଥା ଆଇନଶୃଙ୍ଖଳା ପ୍ରତି ବିପଦ ବୋଲି ଜିନ୍ଦଲ ଦର୍ଶାଇଛନ୍ତି। ଜଣେ ମୁଖ୍ୟମନ୍ତ୍ରୀ ଭାବେ ମମତାଙ୍କ ଏଭଳି ଶବ୍ଦର ଯଥେଷ୍ଟ ପ୍ରଭାବ ରହିଛି, ଯାହା ବିପଜ୍ଜନକ। ସେ ପଡୋଶୀ ରାଜ୍ୟ ସମେତ ଦିଲ୍ଲୀରେ ମଧ୍ୟ ନିଆଁ ଜଳିବ ବୋଲି କହିଥିବାରୁ ଏଠାର ବାସିନ୍ଦା ଭାବେ ପୋଲିସରେ ଅଭିଯୋଗ କରିଥିବା ଆଇନଜୀବୀ କହିଛନ୍ତି। ଟିଏମ୍‌ସି ନେତ୍ରୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୫୨, ୧୯୨, ୧୯୬ ଏବଂ ୩୫୩ରେ ମାମଲା ଦାଏର ପାଇଁ ସେ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ମମତାଙ୍କ ଇସ୍ତଫା ଦାବି କରି ଛାତ୍ରୀଛାତ୍ର ରାଜ୍ୟ ସଚିବାଳୟ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିବାବେଳେ ପୋଲିସ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୋଲିସର ଲାଠିମାଡ଼ରେ ବହୁ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଏହାର ପ୍ରତିବାଦରେ ବୁଧବାର ଭାଜପା ୧୨ ଘଣ୍ଟିଆ ବନ୍ଦ ପାଳନ କରିବାକୁ ମମତା ନିନ୍ଦା କରିଥିଲେ। ପଶ୍ଚିମବଙ୍ଗକୁ ବଦନାମ କରିବା ପାଇଁ ଭାଜପା ଏଭଳି କରୁଛି। ରାଜ୍ୟରେ ଅରାଜକତା ସୃଷ୍ଟି ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦଳକୁ ବ୍ୟବହାର କରୁଥିବା ମମତା ଅଭିଯୋଗ କରିବା ସହ ଉପରୋକ୍ତ ଚେତାବନୀ ଦେଇଥିଲେ।

Share