Advertisement

୯ ହିତାଧିକାରୀଙ୍କ ୫ ମାସର ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

ନନ୍ଦପୁର, ୨୧ା୧୧(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପୋଡେଇ ଗ୍ରାମର ଭତ୍ତା ହିତାଧିକାରୀ ୫ ମାସର ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। କୁଲାରସିଂ ପଞ୍ଚାୟତର ପୋଡେଇ ଗ୍ରାମର ସନାଇ କିର୍ଷାନୀ, ନାରଦ ଖେମୁଣ୍ଡୁ, ସାନମତି କିର୍ଷାନି, ନିନିବୁଡ଼ି ବୁରୁଡ଼ି, କମଳା କିର୍ଷାନୀ, ଦଇମତି କିର୍ଷାନୀ, ମୋହନ ବୁରୁଡି, କମଳା ଖେମୁଣ୍ଡୁ, ମତି ଖେମୁଣ୍ଡୁ ପ୍ରମୁଖ ଏପରି ଅଭିଯୋଗ ଆଣିଛନ୍ତି। ଏହି ହିତାଧିକାରୀମାନେ କହିଛନ୍ତି ଯେ, ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ୫୦୦ ଟଙ୍କା ଆଣୁଥିଲୁ। ଗତ ମାର୍ଚ୍ଚ ମାସଠାରୁ ହାତରେ ଟଙ୍କା ନ ଦେଇ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଯିବ ବୋଲି କହି ପଞ୍ଚାୟତ କର୍ତ୍ତୃପକ୍ଷ ଟଙ୍କା ଦେବା ବନ୍ଦ କରିଦେଲେ। ମାର୍ଚ୍ଚଠାରୁ ଜୁଲାଇ ୫ ମାସ ଯାଏ ବ୍ୟାଙ୍କରେ ଆମ ଜମା ଖାତା ଯାଞ୍ଚ କରି ଆମେ ଟଙ୍କା ଆସି ନ ଥିବା ଦେଖି ଅଭିଯୋଗ କରିଥିଲୁ। ପରେ ଅଗଷ୍ଟ ମାସରୁ ପୂର୍ବପରି ଆମକୁ ହାତରେ ଟଙ୍କା ଦେଲେ। ଏବେ ଆମେ ଭତ୍ତା ଟଙ୍କା ନିୟମିତ ପାଉଥିବା ବେଳେ ଗତ ମାର୍ଚ୍ଚ ମାସରୁ ଜୁଲାଇ ପର୍ଯ୍ୟନ୍ତ ୫ମାସର ଭତ୍ତା ଟଙ୍କା ଏଯାଏ ପାଇନୁ। ଏହି ଟଙ୍କା ସେମାନଙ୍କ ଜମାଖାତାକୁ ଆସି ନ ଥିବା ବେଳେ ଟଙ୍କା ଗଲା କୁଆଡେ ବୋଲି ହିତାଧିକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ଭତ୍ତା ପାଇ ନ ଥିବା ହିତାଧିକାରୀ କୁଲାରସିଂ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଅଛନ୍ତି ବୋଲି ସରପଞ୍ଚ ଭଗବତୀ କିର୍ଷାନୀ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସରିତା ଓରାମଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ସେ ପିଇଓଙ୍କ ସହ ଆଲୋଚନା କରିବେ। ଆବଶ୍ୟକ ସ୍ଥଳେ ନିଜେ ପୋଡ଼େଇ ଗ୍ରାମ ଓ କୁଲାରସିଂ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ହିତାଧିକାରୀଙ୍କ ଉକ୍ତ ୫ମାସର ଭତ୍ତା ଟଙ୍କା ପ୍ରଦାନ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share