ଥାନାରେ ପହଞ୍ଚିଲା ଚପଲ ଚୋରି ମାମଲା

ଭୋପାଳ,୬।୫: ମଧ୍ୟପ୍ରଦେଶ ଉଜ୍ଜେନ ଜିଲାରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସବୁବେଳେ ଲୋକମାନେ ଚୋରି, ମାରପିଟ କିମ୍ବା କୌଣସି ଅପରାଧିକ ମାମଲାକୁ ନେଇ ଥାନାରେ ପହଞ୍ଚିଥାନ୍ତି। କିନ୍ତୁ କେବେ କେହି ଶୁଣିଛନ୍ତି କି, କୌଣସି ବ୍ୟକ୍ତି ନିଜର ଚପଲ ଚୋରି ହୋଇଯିବାରୁ ଥାନାରେ ମାମଲା ରୁଜୁ କରିଥିବା କଥା। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉଜ୍ଜେନ ଜିଲାର ଖାଚରୋଡର ତାରୋଡ ଗାଁରେ। ଉକ୍ତ ଗାଁରେ ରହୁଥିବା ଜିତେନ୍ଦ୍ର ବାଗରି ନାମକ ଜଣେ ବ୍ୟକ୍ତି ତାଙ୍କ ଚପଲ ଚୋରି ହେବାକୁ ନେଇ ଖାଚରୋଡ ପୋଲିସ ଷ୍ଟେଶନରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ସୂଚନାଯୋଗ୍ୟ, ଜିତେନ୍ଦ୍ର ଘରେ ଥିବା ବେଳେ କେହି ଜଣେ ତାଙ୍କ ଚପଲ ଚୋରି କରି ନେଇଥିଲେ। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ସହ ଏଫ୍‌ଆଇଆର ରୁଜୁ କରିଛନ୍ତି। ଉକ୍ତ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଯଦି କେହି ବ୍ୟକ୍ତି ତାଙ୍କ ଚପଲର ବ୍ୟବହାର କରି କୌଣସି ଅପରାଧ ଘଟାନ୍ତି ତେବେ ସେଥିପାଇଁ ସେ ଦାୟି ରହିବେ ନାହିଁ। ଖାଲି ସେତିକି ନୁହେଁ ଚପଲର ରଙ୍ଗ, ଓ କମ୍ପାନୀ ନାମ ମଧ୍ୟ ସେ ଅଭିଯୋଗରେ ଲେଖିଛନ୍ତି। କିଛିମାସ ପୂର୍ବରୁ ଜିତେନ୍ଦ୍ର ୧୮୦ ଟଙ୍କା ଦେଇ ଏହି ଚପଲ କିଣିଥିଲେ। ଚପଲ ଚୋରି କରିଥିବା ବ୍ୟକ୍ତି ଯଦି ଆଉ କୌଣସି ଅପରାଧିକ କାର୍ଯ୍ୟ କରନ୍ତି ଆଉ ସେଥିପାଇଁ ଜିତେନ୍ଦ୍ରଙ୍କୁ ଦାୟି କରାଯିବା ଆଶଙ୍କା କରି ଥାନାରେ ଅଭିଯୋଗ କରିବା ଠିକ୍‌ ବୋଲି ସେ ଭାବିଥିଲେ। ତେବେ ଅଭିଯୋଗକୁ ଭିତ୍ତି କରି ପୋଲିସ ମଧ୍ୟ ମାମଲାର ତଦନ୍ତ ଆରମ୍ଭ କରିଛି। ଏଥିସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହି ଚପଲ ଏବଂ ଅଭିଯୋଗ କପିର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି।

Share