କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା

ସଜନାଗଡ଼, ୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ମେଡିକାଲ ପରିସରରେ ୪ଟି କ୍ୟାବିନ୍‌ ନିର୍ମାଣ କରାଯାଇଥିଲା। ବୁଧବାର ପୂର୍ବାହ୍ନରେ ଏହି କ୍ୟାବିନ୍‌ ଗୃହ ଉଦ୍‌ଘାଟନ ଲାଗି ସ୍ଥିର କରାଯାଇଥିଲା। ଉଦ୍‌ଘାଟକ ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ନୀଳଗିରି ଟ୍ରକ୍‌ ମାଲିକ ସଂଘର ସଭାପତି ସୁରଞ୍ଜନ ମହାପାତ୍ର, ସମ୍ପାଦକ ଶାନ୍ତନୁ କୁମାର ବିଶ୍ୱାଳ ଓ ସଂଘର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ବିଧାୟକ ନାୟକ ଉଦ୍‌ଘାଟନ କରି ଯିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମର୍ଥକମାନେ ଫଳକରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ନ ଥିବା ନେଇ ଏସ୍‌ଡିଏମ୍‌ଓ ଡା. ଅଜୟ କୃଷ୍ଣ ସାମଲଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ସମର୍ଥକମାନେ ସୂଚନା ଫଳକକୁ ଭାଙ୍ଗି ଦେଇଥିଲେ। ଫଳକ ଭଙ୍ଗା ଘଟଣାକୁ ନେଇ ଟ୍ରକ୍‌ ମାଲିକ ସଂଘର ସମ୍ପାଦକ ଶାନ୍ତନୁ କୁମାର ବିଶ୍ୱାଳ ନୀଳଗିରି ଥାନାରେ ଏତଲା ଦେଇଥିବାବେଳେ ମେଡିକାଲ ପକ୍ଷରୁ ମଧ୍ୟ ଏକ ଏତଲା ଦିଆଯାଇଛି। ତେବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।
ଏ ନେଇ ଗୁରୁବାର ମେଡିକାଲ କର୍ମଚାରୀ କଳାବ୍ୟାଜ୍‌ ପରିଧାନ କରିବେ ବୋଲି ଏସ୍‌ଡିଏମ୍‌ଓ ସାମଲ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ କହନ୍ତି, ଟ୍ରକ୍‌ ମାଲିକ ସଂଘ ରାସ୍ତାରେ ଯାଉଥିବା ଟ୍ରକ୍‌ଗୁଡ଼ିକୁ ଅଟକାଇ ଚାନ୍ଦା ଆଦାୟ କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିସରରେ କ୍ୟାବିନ୍‌ ଗୃହ ନିର୍ମାଣ କରିଛି। ଯେଉଁଥିରେ ସର୍ବସାଧାରଣଙ୍କ ଅର୍ଥ ବ୍ୟବହାର ହୋଇଛି। ନିୟମ ଅନୁଯାୟୀ ଫଳକରେ ସ୍ଥାନୀୟ ବିଧାୟକ ଏବଂ ଏମ୍‌ପିଙ୍କ ନାମ ରହିବା ଆବଶ୍ୟକ ଥିବାବେଳେ ହୀନ ରାଜନୀତି ଦୃଷ୍ଟିରୁ ଉକ୍ତ ଫଳକରେ ଏମ୍‌ପିଙ୍କ ନାମ ନ ଥିବାରୁ ଜନସାଧାରଣ ଏହାକୁ ବିରୋଧ କରିଛନ୍ତି।