ଜାମିନରେ ଆସିବା ପରେ ପୋଲିସ ନାଁରେ ଅଭିଯୋଗ

ସମ୍ବଲପୁର,୪ା୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ଥାନା ପରିସରରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ମାରପିଟ କରିଛି। ଏକ ମାମଲାରେ ଜେଲ ଯାଇ ଜାମିନରେ ଆସିବା ପରେ ଧର୍ମେନ୍ଦ୍ର ଗିିରି ନାମକ ଯୁବକ ବୁର୍ଲା ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଡିସେମ୍ବର ୨୮ରେ ବୁର୍ଲା ଥାନାର ଜଣେ ଏସ୍‌ଆଇ ତାଙ୍କୁ ଥାନାକୁ ଡକାଇ ଏକ ମାମଲାରେ ପଚରାଉଚୁରା କରିଥିଲେ। ଏହି ସମୟରେ ସେ ପକ୍ଷପାତିତା କରି ଗାଳିଗୁଲଜ ସହ ମାରପିଟ କରିଥିଲେ। ଏକ ବାଉଁଶ ବାଡିରେ ବାମ ଗୋଡକୁ ପିଟିବାରୁ ଅଙ୍ଗୁଳି ଫାଟି ରକ୍ତ ବାହାରିଥିଲା। ପାଟି କରିବାରୁ ଅନ୍ୟ ଜଣେ ଏସ୍‌ଆଇ ପାଖକୁ ଆସି ଗୋଇଠା ମାରିଥିଲେ। ଏ ସମ୍ପର୍କରେ ଡାକ୍ତର କିମ୍ବା ମାଜିଷ୍ଟ୍ରେଟଙ୍କ ପାଖରେ ଅଭିଯୋଗ କଲେ ମିଥ୍ୟା ମାମଲାରେ ଜେଲ ପଠାଇଦେବେ ବୋଲି ଧମକ ଦେଇଥିଲେ। ତେଣୁ ସେ ସମୟରେ ସେ କାହାରି ପାଖରେ ଅଭିଯୋଗ କରି ନ ଥିଲେ। ଏବେ ପରିବାର ଓ ସମ୍ପର୍କିୟ ସାହସ ଦେବାରୁ ସେ ଅଭିଯୋଗ କରିଥିବା କହିଛନ୍ତି।

ଏ ସମ୍ପର୍କରେ ବୁର୍ଲା ଥାନା ଅଧିକାରୀ କମଳ ଲୋଚନ ପଣ୍ଡା କହିଛନ୍ତି, ଧର୍ମେନ୍ଦ୍ରଙ୍କ ନାମରେ ପୂର୍ବରୁ ମାମଲା ରହିଛି। ଘଟଣା ଦିନ ଏକ ମାମଲାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତାଙ୍କୁ ମାରପିଟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ହେଲେ ଘଟଣା ଦିନ ଆମ ପାଖରେ ଅଭିଯୋଗ କରିବା କଥା, ନ ହେଲେ ଡାକ୍ତର କିମ୍ବା ମାଜିଷ୍ଟ୍ରେଟଙ୍କ ପାଖରେ ଅଭିଯୋଗ କରି ପାରିଥାନ୍ତେ। ତଥାପି ଅଭିଯୋଗ ହୋଇଥିବାରୁ ସତ୍ୟାସତ୍ୟକୁ ନେଇ ତଦନ୍ତ କରାଯିବ ବୋଲି ସେ କହିଥିଲେ।

Share