କାଏମା,୧୬ା୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ନିର୍ବାଚନମଣ୍ଡଳୀର ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ଜାରକା କାର୍ଯ୍ୟାଳୟ ଅଧୀନ ନୀଳାଦେଇପୁର ଛକଠାରୁ ଚାନ୍ଦପୁର ପର୍ଯ୍ୟନ୍ତ ୨.୫୦୦ କି.ମି. ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।
ଏହି ରାସ୍ତା ୨୦୧୭ ଅକ୍ଟୋବରରେ ନିର୍ମାଣ କରାଯାଇଥିଲା। ଏହାକୁ ରକ୍ଷଣାବେକ୍ଷଣ ପାଇଁ ନିର୍ମାଣ ଦିନଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ଠିକାଦାରଙ୍କୁ ଦିଆଯାଇଥିଲା। ଏଥିପାଇଁ ୮ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ ରାସ୍ତା ନିର୍ମାଣ ଦିନଠାରୁ ମରାମତି କରାଯାଇ ନ ଥିଲା। ଏବେ ୭ ବର୍ଷ ପରେ ସମ୍ପୃକ୍ତ ଠିକାଦାର ମରାମତି ଆଳରେ ରାସ୍ତାରେ ନିମ୍ନମାନର ପିଚୁ ବିଛାଇଥିଲେ। ଗତ ସୋମବାର ରାସ୍ତା ମରାମତି କରାଯାଇଥିଲେ ମଧ୍ୟ ପିଚୁ ଉଠି ଯାଉଥିବା ଦେଖିବାକୁ ମିଳିଛି। ରାସ୍ତା କାମ ସମୟରେ କୌଣସି ଯନ୍ତ୍ରୀ ଉପସ୍ଥିତ ନ ଥିଲେ। ତେଣୁ ଖବର ପାଇ ଏହାକୁ ଅନୁଧ୍ୟାନ ପାଇଁ ଗୁରୁବାର ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀ ଆସିଥିଲେ। ଏହି ସମୟରେ ଉକ୍ତ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ସେମାନେ ଗାଡ଼ି ନ ଅଟକାଇ ପଳାଇ ଯାଇଥିଲେ। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ରାସ୍ତାକୁ ପୁନର୍ବାର ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।