କାର୍ଯ୍ୟ ନ ସରୁଣୁ ଦବି ଗଲାଣି

ମୋରଡା,୧।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡା ପଞ୍ଚାୟତ ଦୋମୁହାଣୀ ସ୍ଥିତ ଶ୍ମଶାନ ନଦୀ ଘାଟ ନିକଟରେ ନିର୍ମାଣ ଚାଲିଥିବା ଏକ ପୋଲ(କ୍ରସ ଡ୍ରେନେଜ ୱାର୍କ ) କାର୍ଯ୍ୟ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଆରମ୍ଭରୁ ଉକ୍ତ ପୋଲର ବେସ୍‌ ନିର୍ମାଣ କମ୍‌ ଇଞ୍ଚର ହୋଇଥିବାରୁ ପୋଲର ଗୋଟିଏ ପାର୍ଶ୍ୱ ଦବି ଯାଇଛି। ସେହିପରି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସିମେଣ୍ଟ, ଚିପ୍ସ ଅତ୍ୟନ୍ତ ନିମ୍ନମାନର ହେବା ସହିତ ସିମେଣ୍ଟ-ବାଲି ମିଶ୍ରଣର ପରିମାଣ ଠିକ୍‌ ଭାବେ ହୋଇନାହିଁ। ପୋଲ ନିର୍ମାଣରେ ବ୍ୟବହୃତ ଲୁହା ରଡ ମଧ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।

ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ହେତୁ ନିର୍ମାଣ ହେବାର କିଛି ଦିନ ମଧ୍ୟରେ ଗୋଟିଏ ପାର୍ଶ୍ୱ ଦବି ବିପଦସଂକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀ ଅବିନାଶ ମହାନ୍ତ, ଛୁଟୁ ରଣା, ପ୍ରଶ୍ନଜିତ ଜେନା, ସିପୁନ ରଣା, ଶୁଭ କୁମାର ମହାନ୍ତ ପ୍ରମୁଖ ଅଭିଯୋଗ କରିଛନ୍ତି।

ଏନେଇ କନିଷ୍ଠ ଯନ୍ତ୍ରୀ ଉଗ୍ରସେନ ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଉ ନାହାନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତୁଙ୍ଗଙ୍କୁ ପଚାରିବାରୁ ପୋଲ ଦବି ଯାଇଥିବା ସ୍ବୀକାର କରିଥିଲେ। ତେବେ କାହା ସ୍ବାର୍ଥରେ ପୋଲ ନିର୍ମାଣ ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share