ରାଣୀତାଲ କେନାଲବନ୍ଧ କାମ ନିମ୍ନମାନର ଅଭିଯୋଗ

ଭଦ୍ରକ ଅଫିସ, ୩୧।୫: ଭଦ୍ରକ ସାଳନ୍ଦୀ ଜଳସେଚନ ବିଭାଗ ଅଧୀନ ରାଣୀତାଲ କେନାଲର ବାମପାଶର୍‌ବରେ ଆର୍‌ଡି ୦୧.୫୦ କିଲୋମିଟରରୁ ୧୦.୫୦ କିଲୋମିଟର ପର୍ଯ୍ୟନ୍ତ ୪ କୋଟି ୨୯ ଲକ୍ଷ ୩୭ହଜାର ୫୧୦ଟଙ୍କା, ସେହି କେନାଲର ଆର୍‌ଡି ୧୦.୫୦ କି.ମି.ଠାରୁ ୧୩ କି.ମି. ଏବଂ ଏହି କାର୍ଯ୍ୟ ସହ କେଶପୁର-ରମ୍ଭିଳା ସଂଲଗ୍ନ ମୁରୁଣାମାଇନର ପର୍ଯ୍ୟନ୍ତ ୪ କୋଟି ୪ ଲକ୍ଷ ୩୭ ହଜାର ୭୩୭ ଟଙ୍କାରେ କେନାଲ ବନ୍ଧ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି। କେନାଲବନ୍ଧ କାମ ନିମ୍ନମାନର କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପୁରୁଣା ପିଚୁକୁ ସମ୍ପୂର୍ଣ୍ଣ ବାହାର କରି ରାସ୍ତାକୁ ଖୋଳି ତା’ ଉପରେ ୭୦ ପ୍ରତିଶତ ମେଟାଲ ସହ ୩୦ ପ୍ରତିଶତ ଡଷ୍ଟ ଗୋଳାଇ ରୁଲିଂ କରାଯିବା କଥା। କିନ୍ତୁ ଓଲଟା ୩୦ ପ୍ରତିଶତ ମେଟାଲ ବ୍ୟବହାର କରି ତାହା ଉପରେ ଡଷ୍ଟ ପକାଯାଇଛି। ଏହାସହ ରାସ୍ତାର ଉଭୟ ପାଶର୍‌ବରେ ବାହାରୁ ମାଟି ଆଣି ପକାଇବା ବଦଳରେ ରାସ୍ତାପାର୍ଶ୍ୱରୁ ମାଟି ତାଡ଼ି ପକାଯାଉଛି ବୋଲି ସ୍ଥାନୀୟ ଅଧିବାସୀ କାଳନ୍ଦୀ ବେହେରା, ମହେନ୍ଦ୍ର ମହାନ୍ତି, ଶଙ୍କର୍ଷଣ ବାରିକ, ଶାନ୍ତନୁ ମିଶ୍ର, ପ୍ରଦୀପ ହଜାରୀ, ସଚ୍ଚିଦାନନ୍ଦ ମହାପାତ୍ର, ଦିଲୀପ ବାରିକ, ସୀତାଂଶୁ ଶେଖର ବିଶ୍ୱାଳ ପ୍ରମୁଖ କାର୍ଯ୍ୟସ୍ଥଳକୁ ଆସିଥିବା ଏସ୍‌ଡିଓ ଦଶରଥ ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସାଳନ୍ଦୀ ଜଳସେଚନ ବିଭାଗ କାର୍ଯ୍ୟ କରୁଥିବା ବେଳେ ଫଳକ ଲଗାଯାଇ ନ ଥିବାରୁ କାର୍ଯ୍ୟ ବିଷୟରେ ଠିକ୍‌ ତଥ୍ୟ ଜଣାପଡୁ ନାହିଁ। ଦୁଇମାସ ହେଲା କାମ ଚାଲିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ତଦାରଖ କରିବାକୁ ଆସୁ ନ ଥିବା ସେମାନେ କହିଛନ୍ତି। କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା କାମକୁ ଠିକାଦାର ଠିକ୍‌ ଭାବେ ନ କଲେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଡ୍ରେନେଜ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ସାମଲଙ୍କୁ ପଚାରିବାରୁ କାମ ଠିକ୍‌ ଚାଲୁଛି ଓ କ୍ୱାଲିଟି କଣ୍ଟ୍ରୋଲ ବିଭାଗ କାର୍ଯ୍ୟକୁ ଠିକ୍‌ ତଦାରଖ କରୁଛି ବୋଲି କହିଛନ୍ତି।