ରାସ୍ତାକାର୍ଯ୍ୟ ନିମ୍ନମାନର ଅଭିଯୋଗ: ପ୍ରତିବାଦ କଲେ ଗ୍ରାମବାସୀ

କୋକସରା,୧୪।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗ୍ରାମାଞ୍ଚଳକୁ ଗମନାଗମନରେ ସୁବିଧା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନୁଦାନ ଦେଉଛନ୍ତି । ହେଲେ କିଛି ବିଭାଗୀୟ ଅଧିକାରୀ ଏବଂ ଦୁର୍ନୀତିଗ୍ରସ୍ତ ଠିକାଦାର ମିଶି ‘ତୋର ଅଧେକୁ ମୋର ଅଧେ’ ନୀତିରେ ନିମ୍ନମାନର କାର୍ଯ୍ୟକରି ସରକାରୀ ଅନୁଦାନ ହଡ଼ପ କରୁଥିବା କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ସ୍ବାମୀ ବିବେକାନନ୍ଦ ଯୁବକ ସଙ୍ଘ, ବରାଡଙ୍ଗା ଓ ପାତ୍ରବସା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ, ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜୈନେକ ଠିକାସଂସ୍ଥାକୁ ଆମପାଣିରୁ ବେହେରନଶୀଳ ରାସ୍ତା ମରାମତି କାର୍ଯ୍ୟ ପାଇଁ ବିଭାଗୀୟ ଅଟକଳ ୩୫ ଲକ୍ଷ ୭୧ହଜାର ୭୫୮ ଟଙ୍କାରେ କାର୍ଯ୍ୟାଦେଶ ହୋଇଛି। ଏନେଇ ଠିକାସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ କାମ ଜାରି ରହିଛି। ତେବେ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗୁରୁବାର ସ୍ଥାନୀୟ ଯୁବକ ସଙ୍ଘର ନୃପରାଜ ମାଝି, ସୀମାଞ୍ଚଳ ମାଝି, ଚନ୍ଦ୍ରଭାନୁ ମାଝି, ଦାମୋଦର ମାଝି, ନେତ୍ରମଣି ନାଗ, ବିଶ୍ବମ୍ବର ନାଏକ, ଭୂବନେ ନାଗ, ଦୁର୍ଲ୍ଲଭ ମାଝି, ମହେନ୍ଦ୍ର ନାଏକ, ଘନଶ୍ୟାମ ମାଝିଙ୍କ ସହ ଗ୍ରାମବାସୀ ପ୍ରତିବାଦ କରିଛନ୍ତି।

ଅଭିଯୋଗ ମୁତାବକ, ଠିକାସଂସ୍ଥା ଏଷ୍ଟିମେଟ୍‌ ଅନୁଯାୟୀ ପିଚୁ ନ ପକାଇ ନିଜକୁ ସୁହାଇଲା ଭଳି ରାସ୍ତା କାମ୍‌ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଏହାକୁ ପ୍ରଶୟ ଦେଉଥିବା ଅଭିଯୋଗ ହୋଇଛି। ଏନେଇ କୋକସରା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେଶ ବାରିହାଙ୍କୁ ପଚାରିବାରୁ ଏଷ୍ଟିମେଟ୍‌ ଅନୁସାରେ କାର୍ଯ୍ୟ ହେଉଛି। କାମରେ କୌଣସି ଅନିୟମିତତା ହେଉ ନ ଥିବା ସେ ପ୍ରକାଶ କରିଛନ୍ତି।

Share