ରାସ୍ତା ନିର୍ମାଣର ୩ ମାସ ପୂରିନି, ଉଠିଲାଣି ପିଚୁ

ଚନ୍ଦ୍ରପୁର,୧୩।୬(ଡି.ଏନ୍‌.ଏ.): ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାୟଗଡ଼ା ଜିଲା ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁର ବ୍ଲକ ଟୁରିଗୁଡ଼ା ପଞ୍ଚୟତର ଢ଼େଲାପଡ଼ାଠାରୁ ଆଲିଗଣ୍ଡା ପର୍ଯ୍ୟନ୍ତ ନୂଆ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣର ମାତ୍ର ୩ ମାସ ପୂରିନି ହେଲେ ଢ଼େଲାପଡ଼ାଠାରୁ ରାମଣା ଗ୍ରାମ ମଧ୍ୟରେ ଥିବା ରାସ୍ତାରୁ ପିଚୁ ଉଠି ଗୋଡ଼ି ଦେଖାଗଲାଣି। ଫଳରେ ଉକ୍ତ ରାସ୍ତାରେ ଯାନବାହନ ଯାତାୟାତ ବେଳେ ଗୋଡ଼ି ଛିଟକି ବାଇକ୍‌ ଆରୋହୀଙ୍କ ଉପରେ ପଡ଼ୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟର ତଦାରଖ ନ କରିବାରୁ ଠିକାଦାର ନିମ୍ନମାନର କାମ କରିଥିବା ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣର ୩ ମାସ ପରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଆଗକୁ ବର୍ଷା ଦିନରେ ରାସ୍ତାର ଅବସ୍ଥା କିଭଳି ରହିବ ତାହା ସହଜେ ଅନୁମେୟ । ଏଣୁ ବିଭାଗୀୟ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ରାସ୍ତା ନିର୍ମାଣର ତଦନ୍ତ କରିବା ସହ ରାସ୍ତା ପୁନଃ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଅନୀଲ କୁମାର ମଲିକଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରି ସମ୍ପୃକ୍ତ ଠିକାଦାରଙ୍କୁ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦେବେ ବୋଲି ସେ କହିଛନ୍ତି ।