କୋଠା କାର୍ଯ୍ୟ ନିମ୍ନମାନର ଅଭିଯୋଗ

କୁଡୁମୁଲୁଗୁମ୍ମା,୧୬ା୬(ହୃଷୀକେଶ ସେଠୀ): କୁଡୁମୁଲୁଗୁମ୍ମା ଭେଟେରିନାରି ଅଫିସ କୋଠା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଏହି କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ ଠିକାଦାର ନେଇଛନ୍ତି। ସେ କାମ ଠିକ୍‌ ଭାବେ ତଦାରଖ କରୁ ନ ଥିବା ବେଳେ ଯନ୍ତ୍ରୀ କିମ୍ବା ଉପରସ୍ଥ ଅଧିକାରୀ ମଧ୍ୟ କାର୍ଯ୍ୟର ମାନ ନିରୂପଣ ନିମନ୍ତେ ଏଠାକୁ ଆସୁନାହାନ୍ତି। ଫଳରେ କୋଠା ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବାହାର ଜିଲାର ଜଣେ ସୁପରଭାଇଜର, କେତେଜଣ ଠିକା ମିସ୍ତ୍ରି ଓ ଶ୍ରମିକଙ୍କ ଉପରେ କାମ ଛାଡ଼ିଦିଆଯାଇଛି। ଏଠାରେ ବ୍ୟବହାର ହେଉଥିବା ସାମଗ୍ରୀ ଅତି ନିମ୍ନମାନର ହେଉଥିବା ବେଳେ ଚଞ୍ଚକତାକରି ସିମେଣ୍ଟର ଭାଗ ମାପ ଅନୁଯାୟୀ ବ୍ୟବହାର କରାଯାଉ ନ ଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ କାର୍ଯ୍ୟର ଫାଉଣ୍ଡେଶନ ମଧ୍ୟ ଠିକ୍‌ ଭାବରେ କରା ନ ଯାଇ, ତରବରିଆ ଭାବେ ମାଟି ଢାଙ୍କି ଦିଆଯାଇ ତା’ଉପରେ ଇଟା ଯୋଡ଼େଇ କରାଯାଇଛି। ଯେମିତିକି ନିମ୍ନମାନର ନିର୍ମାଣ କାର୍ଯ୍ୟର ସୁରାକ କେହି ପାଇପାରିବେନାହିଁ। ସ୍ଥାନୀୟ ଲୋକେ ଉକ୍ତ କାର୍ଯ୍ୟକୁ ଠିକ୍‌ ଭାବେ କରିବା ପାଇଁ ତାଗିଦା କରିବା ସତ୍ତ୍ୱେ ସୁପରଭାଇଜର କର୍ଣ୍ଣପାତ କରୁ ନ ଥିବା ବେଳେ କାର୍ଯ୍ୟଟି ଅଳ୍ପ ଦିନ ମଧ୍ୟରେ ଭୁଶୁଡି ପଡିବା ଅଭିଯୋଗ ହେଉଛି। ଏଣୁ ଜିଲା ପ୍ରଶାସନ ତୁରନ୍ତ ଉକ୍ତ କୋଠା ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ଏଥିରେ ହୋଇଥିବା ଅନିୟମିତତା ନେଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜନସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ କୁଡୁମୁଲୁଗୁମ୍ମା ଭିଏଏସ୍‌ ସୁଜିତ ପ୍ରସାଦ ଦାସଙ୍କୁ ପଚାରିବାରୁ କାମ ନିମ୍ନମାନର ହେଉଥିଲେ ମଧ୍ୟ ଠିକାଦାର କୌଣସି କଥା ଶୁଣୁ ନାହାନ୍ତି ବୋଲି କହିଛନ୍ତି ା