ଜାକେଡ଼ା ପମ୍ପ୍‌ ହାଉସ୍‌ରେ ନିମ୍ନମାନର କାମ ଅଭିଯୋଗ

ନୂଆଗାଁ,୨୦।୧୦(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତ ଜାକେଡାଠାରେ ଥିବା ପମ୍ପ ହାଉସ ମରାମତି ଅତିନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ରହିଥିବା ଅଭିଯୋଗ ହୋଇଆସୁଛି । ଏପରିକି ଅନେକ ଗାଁରେ ସରକାରଙ୍କ ତରଫରୁ ପାନୀୟ ଜଳ ଯୋଗାଣ ନିମନ୍ତେ ଅର୍ଥ ବ୍ୟୟ କରାଯାଇଥିଲେ ମଧ୍ୟ ଜନସାଧାରଣ ତା’ର ସୁଫଳ ପାଇ ପାରୁନାହାନ୍ତି । ଏନେଇ ପ୍ରତି ସମିତି ବୈଠକରେ ଜନ ପ୍ରତିନିଧିମାନେ ହୋହଲ୍ଲା କରୁଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଓ ପଞ୍ଚାୟତର ଅନୁଦାନରୁ ବହୁ ଅର୍ଥ ଦିଆଯାଉଥିଲେ ମଧ୍ୟ ପାନୀୟ ଜଳ ସମସ୍ୟା ସୁଧୁରୁ ନ ଥିବା ନେଇ ସଭାରେ ଅସନ୍ତୋଷ ଦେଖା ଦେଉଛି । ତେଣୁ ପାନୀୟ ଜଳ ସମସ୍ୟାକୁ ସୁଧାରିବା ପାଇଁ ସରକାର ଚେଷ୍ଠା କରିବା ସହ ଅନୁଦାନ ମଧ୍ୟ ଦେଉଛନ୍ତି ା କିନ୍ତୁ କେତେଜଣ ଅସାଧୁ କର୍ମଚାରୀଙ୍କ ପାଇଁ ଆଶାନୁରୂପ ସଫଳତା ମିଳିପାରୁ ନାହିଁ । ଜାକେଡା ପଞ୍ଚାୟତ ଜାକେଡା ଗ୍ରାମରେ ଥିବା ପମ୍ପ ହାଉସ ଅଚଳ ହୋଇ ପଡିଛି। ପମ୍ପ ହାଉସ ଗୃହ ମରାମତି କରିବା ପାଇଁ ଗତ ବର୍ଷ ୫୦ ହଜାର ଟଙ୍କା ବ୍ୟୟ କରାଯାଇଥିବା ବେଳେ ପମ୍ପ ହାଉସର ଚତୁଃପାର୍ଶ୍ୱ ମରାମତି ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଚଳିତ ବର୍ଷ ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ବର୍ତ୍ତମାନ ତାହାର କାର୍ଯ୍ୟ ଚାଲିଥିବା ବେଳେ ତାହା ଅତି ନିମ୍ନମାନର ହେଉଛି ବୋଲି ଅଭିଯୋଗ ହେଉଛି । ଉକ୍ତ କାମରେ ପାହାଡରୁ ନାଲି ଢିମା ପଥର ଆଣି ପକାଯାଇଛି । ଶସ୍ତା ସିମେଣ୍ଟରେ କାମ କରାଯାଉଛି । ଅଧା ବସ୍ତା ଶସ୍ତା ସିମେଣ୍ଟରେ ୩ ଝୁଡି ମେଟାଲ, ୫ ଝୁଡି ବାଲି ମିଶାଇ କାମ ହେଉଛି । ବିଭାଗୀୟ ଜଣେ କର୍ମଚାରୀଙ୍କ ଉପସ୍ଥିତିରେ ଏପରି କାମ ହେଉଥିଲେ ମଧ୍ୟ ସେ ନୀରବ ଦ୍ରଷ୍ଟା ସାଜିଛନ୍ତି । କାମ ବିଷୟରେ କିଛି ଜାଣି ନାହିଁ , ଲେବରମାନେ ଭାଗମାପରେ ବାଲି,ସିମେଣ୍ଟ ମିଶାଇ କାମ କରୁଛନ୍ତି ବୋଲି ସେ କହିଛନ୍ତି । ଏ ବାବଦରେ ଆରଡବ୍ଳ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ଲିପ୍ସା ମହାନ୍ତିଙ୍କୁ ପଚାରିବାରେ ଅଭିଯୋଗ ପାଇବା ପରେ ମୁଁ କାର୍ଯ୍ୟସ୍ଥଳୀକୁ ଆସି ନିଜ ଉପସ୍ଥିତିରେ କାମ କରାଇଛି ବୋଲି କହିଛନ୍ତି ା

Share