୮ ବର୍ଷ ହେଲା ବନ୍ଦ ଥିବା ଷ୍ଟାଡିୟମ କାମ ଶେଷ କର

ଝାରସୁଗୁଡ଼ା ଅଫିସ,୨୩ା୬: ଏମ୍‌ସିଏଲ୍‌ ସିଏସ୍‌ଆର୍‌ ପାଣ୍ଠିରୁ ୮କୋଟି ଟଙ୍କା ବ୍ୟୟରେ ୨୦୧୩-୧୪ରୁ ଝାରସୁଗୁଡ଼ା ମାଳିମୁଣ୍ଡାଠାରେ ଷ୍ଟାଡିୟମ ନିର୍ମାଣ ଚାଲିଛି। ଅର୍ଥାଭାବରୁ ଦୀର୍ଘଦିନ ହେଲାଣି ଏହା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ଫଳରେ ରାଜ୍ୟ ଓ ଜିଲାର କ୍ରୀଡା ପ୍ରେମୀ ଖେଳକୁଦରୁ ବଞ୍ଚିତ ହେଉଛନ୍ତି। ଏନେଇ ଜିଲା କ୍ରୀଡା ସଂଘ ଅସନ୍ତୋଷ ପ୍ରକାଶ କରିଛି। ଏଭଳି ସ୍ଥିତିରେ ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ଷ୍ଟାଡିୟମ ପରିଦର୍ଶନରେ ଯାଇ କ’ଣ କାମ ହୋଇଛି ପରଖିଥିଲେ। ପରେ ସେ ପୂର୍ତ୍ତ ବିଭାଗ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ପ୍ରଦୀପ କୁମାର ନାଥ,ଏସ୍‌ଡିଓ ଆଶିଷ କୁମାର ଲେଙ୍କା, ଜିଲା କ୍ରୀଡା ସଂଘ ସମ୍ପାଦକ ତାପସରାୟ ଚୌଧୁରୀ, ରାମମୋହନ ରାଓଙ୍କ ସହ ଆଲୋଚନା କରିଥିଲେ। ବାକି ରହିଥିବା ଆଲୋକୀକରଣ, ସୁଇମିଂପୁଲ୍‌ ଆଦି କାମ ତୁରନ୍ତ ଶୀଘ୍ର ଶେଷ କରିବାକୁ ମନ୍ତ୍ରୀ ଦାସ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ନାଥଙ୍କୁ ନିର୍ଦ୍ଦେଶ ଦେଇଥିଲେ।