Categories: ବାଣିଜ୍ୟ

ସମ୍‌ରେ ଜଟିଳ କ୍ୟାନ୍‌ସର ଅସ୍ତ୍ରୋପଚାର

ଭୁବନେଶ୍ୱର,୩୦।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘ସମ୍‌ ହସ୍ପିଟାଲ’ରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏପରିକି ଏକ ଜଟିଳ କ୍ୟାନ୍‌ସର ରୋଗୀଙ୍କର କଷ୍ଟ ଦୂର କରାଯାଇପାରିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ବିଶେଷକରି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଯୁବ ସର୍ଜନମାନଙ୍କର ଏକ ମିଳିତ ଟିମ୍‌ ଦ୍ୱାରା ଅଗ୍ନ୍ୟାଶୟ (ପାନ୍‌କ୍ରିଆସ୍‌) କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୫ ବର୍ଷୀୟ କ୍ୟାନ୍‌ସର ରୋଗୀଙ୍କର ଜଟିଳ ଅସ୍ତ୍ରୋପଚାରକୁ ସମ୍‌ ହସ୍ପିଟାଲର ସର୍ଜିକାଲ ଟିମ୍‌ ଜରିଆରେ ସଫଳତାର ସହ ସମ୍ପନ୍ନ କରାଯାଇଛି।

ସେହିଭଳି ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରଟି ପ୍ରମୁଖ ରକ୍ତ ଧମନୀ ସିଲିଆକ୍‌ ଟ୍ରଙ୍କ୍‌କୁ ଆକ୍ରାନ୍ତ କରିଥିଲା, ଯାହାକି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ମଧ୍ୟ ଜଡ଼ିତ ହୋଇ ରହିଥିଲା। ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲଜି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ଜ୍ୟୋତିର୍ମୟ ଜେନାଙ୍କ ନେତୃତ୍ୱରେ ଏକ ମିଳିତ ଟିମ୍‌ ଉକ୍ତ ସମସ୍ୟାକୁ ନେଇ ଅନେକ ବିଚାରବିମର୍ଶ କରିବା ପରେ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତ୍ତି ନେଇଥିଲେ। ଉକ୍ତ ଟ୍ୟୁମରଟି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ ଯେପରିକି ସିଲିଆକ୍‌ ଟ୍ରଙ୍କ୍‌, ଯକୃତକୁ ରକ୍ତବାହୀ ଧମନୀ, ପାକସ୍ଥଳୀ ଏବଂ ପ୍ଲିହାକୁ ପ୍ରଭାବିତ କରିଥିଲା। ସିଲିଆକ୍‌ ଟ୍ରଙ୍କ୍‌ (ସିଲିଆକ୍‌ ଧମନୀ) ଯାହାକି ୩ ଭାଗ ହୋଇ ପାକସ୍ଥଳୀ, ଯକୃତ ଏବଂ ପ୍ଲିହାକୁ ରକ୍ତ ଯୋଗାଇଥାଏ। ତାହାକୁ ବାହାର କରିବାର ଆବଶ୍ୟକତା ପଡ଼ିଥିଲା। ତେବେ ଏଭଳି କରିବା ଦ୍ୱାରା ଯକୃତକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇ ରୋଗୀର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି ଜେନା ନିକଟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିସ୍ତୃତ ଆଲୋକପାତ କରିଥିଲେ।

Share