ଦରମା ବଦଳରେ ବାଧ୍ୟତାମୂଳକ ଅବସର

ପାରଳାଖେମୁଣ୍ଡି,୧୨ା୧୨(ଡି.ଏନ୍‌.ଏ.): ଗଜପତି ଜିଲାର ପୂର୍ବତନ ଜିଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ଅନ୍ୟ ୩ ଜଣ ଭଲିବଲ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ମିଳିଛି। ନିଜ ପ୍ରାପ୍ୟ ଦରମା ନ ପାଇବାରୁ ନ୍ୟାୟାଳୟରେ ଆଶ୍ରୟ ନେବାରୁ ସରକାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି କ୍ରୀଡ଼ା ଅଧିକାରୀ। ସରକାରଙ୍କ ଏକାଧିକ ବିଭାଗର କାମ ଏକାକୀ କରିଥିଲେ କିନ୍ତୁ ସରକାର ଦରମା ବଦଳରେ ବାଧ୍ୟତାମୂଳକ ଅବସର ଦେଲେ। ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଭାକରଙ୍କ ସହକର୍ମୀ ଏବଂ ଜିଲାବାସୀ ଓ କ୍ରୀଡ଼ାପ୍ରେମୀ । ପୂର୍ବରୁ ସେ ସରକାରଙ୍କ ବିରୋଧରେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ, ତେଣୁ ଆକ୍ରୋଶମୂଳକ ଭାବେ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ବହିଷ୍କୃତ ହୋଇଥିବା କ୍ରୀଡ଼ା ଅଧିକାରୀ କହିଛନ୍ତି। ପ୍ରଭାକରଙ୍କ ସହ ଦୀର୍ଘଦିନ ଧରି କାମ କରିଥିବା ଅବସରପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ ରାମ ଚନ୍ଦ୍ର ପାଢ଼ୀ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଭାର ତ୍ରିପାଠୀ ଜଣେ ଭଲିବଲ କୋଚ୍‌ । ତାଙ୍କ କାର୍ଯ୍ୟ ସନ୍ତୋଷଜନକ ରହିଥିବାରୁ ଜିଲା ସଂସ୍କୃତି ଅଧିକାରୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ଜିଲା ପର୍ଯ୍ୟଟନ ଅଧିକାରୀ ଆଦି ବିଭିନ୍ନ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ସେହିଭଳି ଜିଲାର ଜଣେ କ୍ରୀଡ଼ାପ୍ରେମୀ ସଂସ୍କୃତି ସଂଗଠକ ନୃସିଂହ ଚରଣ ପଟ୍ଟନାୟକ ବିଭିନ୍ନ ଦାୟିତ୍ୱରେ ରହି ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇଥିବା ବେଳେ ସେ କିଭଳି ଅଯୋଗ୍ୟ ହେଲେ ଏବଂ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲା ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି। ବାଧ୍ୟତାମୂଳକ ଅବସର ଘୋଷଣା ପରେ ମୁହଁ ଖୋଲିଛନ୍ତି ପ୍ରଭାକର। ଏହାର ପ୍ରତିବାଦରେ ବି ସେ ନ୍ୟାୟାଳୟକୁ ଯିବେ ଏବଂ ନ୍ୟାୟାଳୟରେ ତାଙ୍କୁ ନ୍ୟାୟ ମିଳିବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି।

Share