Categories: ଜାତୀୟ

୪ ଅଙ୍ଗୁଳି କାଟିଦେଲେ କମ୍ପ୍ୟୁଟର ଅପରେଟର

ସୁରଟ,୧୫ା୧୨: ଗୁଜରାଟର ମୟୂର ତାରାପରା ସୁରଟସ୍ଥିତ ଏକ ଜୁଏଲାରି ଷ୍ଟୋରରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟସ୍ଥଳରେ ଅତ୍ୟଧିକ ଚାପ ଯୋଗୁ ଗତ ୮ରେ ସେ ନିଜ ଅଙ୍ଗୁଳିଗୁଡ଼ିକୁ କାଟି ଦେଇଛନ୍ତି। ୩୨ ବର୍ଷୀୟ ମୟୂର ପ୍ରଥମେ ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିଯିବାରୁ କେହି ତାଙ୍କ ଅଙ୍ଗୁଳି କାଟି ଦେଇଥିବା କହିଥିଲେ। କିନ୍ତୁ ସେ ନିଜ ଅଙ୍ଗୁଳିକୁ ନିଜେ କାଟିଥିବା ବିଷୟ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।

ସତ ଜଣାପଡ଼ିବା ପରେ ମୟୂର କହିଛନ୍ତି, ଜୁଏଲେରିରେ ତାଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଚାପ ପଡ଼ୁଥିଲା। ଏଥିରେ ଅତିଷ୍ଠ ହୋଇ ସେ ଚାକିରି ଛାଡ଼ିବାକୁ ଚାହୁଁଥିଲେ। କିନ୍ତୁ ପରିବାର ପ୍ରତି ଉତ୍ତରଦାୟିତ୍ୱ ଥିବାରୁ ଅର୍ଥ ଉପାର୍ଜନର ପନ୍ଥାକୁ ଛାଡ଼ିପାରି ନ ଥିଲେ। ଏହାବାଦ୍‌ ନିଯୁକ୍ତିଦାତା ଜଣକ ତାଙ୍କ ବାପାଙ୍କ ସମ୍ପର୍କୀୟ ହୋଇଥିବାରୁ ସେ କାମକୁ ମନା କରିପାରି ନ ଥିଲେ। ଶେଷରେ ହତାଶ ହୋଇ ଏକ ଷ୍ଟିଲ୍‌ ଛୁରିରେ ବାମହାତର ୪ ଅଙ୍ଗୁଳି କାଟିବାକୁ ବାଧ୍ୟ ହୋଇଛନ୍ତି।

ଇଞ୍ଜିନିୟରିଂରେ ବେଚ୍‌ଲର (ସିଭିଲ୍‌) ଡିଗ୍ରୀଧାରୀ ମୟୂର ଅଙ୍ଗୁଳି କାଟିଥିବା ସ୍ଥାନକୁ ପୋଲିସକୁ ନେଇଥିଲେ। ସେଠାରୁ ପୋଲିସ ଛୁରିକୁ ଜବତ କରିଛି। ବିବାହିତ ମୟୂରଙ୍କ ଜଣେ ୨ ବର୍ଷର ଝିଅ ଅଛନ୍ତି। ବାପା ଜଣେ କୃଷକ, ଯିଏକି ସୁରେନ୍ଦ୍ରନଗର ଜିଲା ଓ୍ବଧଭନ ଗ୍ରାମରେ ରହି ଚାଷ କାର୍ଯ୍ୟ କରୁଛନ୍ତି। ମୟୁର ଜୁଏଲେରି ଷ୍ଟୋରରୁ ମାସିକ ୫୦,୦୦୦ ଟଙ୍କା ଦରମା ପାଉଥିଲେ।

Share