କୋର୍ଟ ଭିତରେ କରିଥିଲେ କମ୍ପ୍ୟୁଟର ଭଙ୍ଗାରୁଜା: ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ

ଛତ୍ରପୁର,୨୧ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିଜେଏମ୍‌ କୋର୍ଟ ଭିତରେ କମ୍ପ୍ୟୁଟର ଭଙ୍ଗାରୁଜା ମାମଲାର ଗୁରୁବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଛତ୍ରପୁର ଜେଏମଏଫ୍‌ସି ସ୍ବୟଂଶିକ୍ତା ପତି ମାମଲାର ବିଚାର କରି ଅଭିଯୁକ୍ତ ସୁବାସ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସୁବାସଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ ୫ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଜୋରିମାନା ଅନାଦେୟ ଅତିରିକ୍ତ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଓକିଲ କାଳିପ୍ରସାଦ ଦାଶ ମକଦ୍ଦମା ପରିଚାଳନା କରିଥିଲେ।

ପ୍ରକାଶ ଯେ, ୨୦୨୩ ଅକ୍ଟୋବର ୧୬ ତାରିଖରେ ଛତ୍ରପୁର ଏସ୍‌ଡିଜେଏମ କୋର୍ଟ ଭିତରେ ଭଞ୍ଜନଗର ଥାନା ଅଧୀନ ବଡକୋଦଣ୍ଡା ଗ୍ରାମର ସୁବାସ ସାହୁ (୬୫) କମ୍ପ୍ୟୁଟର ଭାଙ୍ଗି ଆତଙ୍କ ସୃଷ୍ଟି କରିଥିଲେ। ଏହାକୁ ଆଧାର କରି କୋର୍ଟର ଉପ ପ୍ରଶାସକ ଲକ୍ଷ୍ମୀଧର ପ୍ରଧାନ ଛତ୍ରପୁର ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଛତ୍ରପୁର ଥାନା ପକ୍ଷରୁ ଉକ୍ତ ଅଭିଯୋଗକୁ ନେଇ ତଦନ୍ତ କରି ସେହି ଦିନ ହିଁ ସୁବାସଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ ।

Share