ଛତ୍ରପୁର,୧ା୧୦(ସନ୍ତୋଷ ପାଢ଼ୀ): ଛତ୍ରପୁର ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ ଡିଭିଜନ ଅଧୀନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ଛଟେଇ ମସୁଧା ନେଇ ରବିବାର ସ୍ଥାନୀୟ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ ସହ ଧାରଣା ଦେଇଥିଲେ। ଏମାନଙ୍କ କହିବାନୁଯାୟୀ ଛତ୍ରପୁର, ରମ୍ଭା ସେକ୍ସନ, ଗଞ୍ଜାମ ସେକ୍ସନ, ମାଲୁଦ ସେକ୍ସନ ଓ ୩୩ କେଭି ଜିଏନ୍ଇଡି ସେକ୍ସନର ୩୦୦ରୁ ଊଦ୍ଧର୍ବ ଠିକା କର୍ମଚାରୀ ଜି.ଭି. ଇଲେକ୍ଟ୍ରିକାଲ କମ୍ପାନୀ ସଂସ୍ଥା ଅଧୀନରେ କାର୍ଯ୍ୟ କରିଆସୁଥିଲେ। ଗତ ୩୦ ତାରିଖରେ ସେମାନଙ୍କ କାର୍ଯ୍ୟକାଳ ସମାପ୍ତ କରିଦେଇଛନ୍ତି ଏବଂ ଆଗକୁ କାମ କଲେ କମ୍ପାନୀ କୌଣସି ଦାୟୀ ନୁହଁ ବୋଲି ସୁପରଭାଇଜର କର୍ମଚାରୀଙ୍କୁ ଚେତାଇ ଦେଇଛନ୍ତି। ଏହାରି ପ୍ରତିବାଦରେ ଠିକା କର୍ମଚାରୀମାନେ ଛତ୍ରପୁର ଡିଭିଜନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଠିକା କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଆସନ୍ତା ମଙ୍ଗଳବାର ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ଯଦି ସମାଧାନ ନ ହୁଏ ତେବେ କାର୍ଯ୍ୟର ନ ଯୋଗ ଦେଇ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଠିକା କର୍ମଚାରୀମାନେ ସୂଚନା ଦେଇଛନ୍ତି।