ଡ. ଜୟକୃଷ୍ଣ ପାଣିଗ୍ରାହୀ
ସମୟର ପ୍ରବାହରେ ପୃଥିବୀର ଜଳବାୟୁ କେତେକ ପ୍ରାକୃତିକ ପରିବର୍ତ୍ତନର ସମ୍ମୁଖୀନ ହୋଇ ନୂତନତ୍ୱ ହାସଲକରେ। ସୂର୍ଯ୍ୟାଲୋକର ତୀବ୍ରତା, ଆଗ୍ନେୟଗିରି ଉଦ୍ଗିରଣ ଏବଂ ପ୍ରାକୃତିକଭାବେ ଉତ୍ପନ୍ନ ହେଉଥିବା ବିବିଧ ସବୁଜଗୃହ ବାଷ୍ପ ପରି କାରକର ହ୍ରାସବୃଦ୍ଧି ଜଳବାୟୁ ପରିବର୍ତ୍ତନରେ ସହାୟତା କରୁଥିବା ଶକ୍ତିମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ମନୁଷ୍ୟର ଅଭ୍ୟୁଦୟର ବହୁ ପୂର୍ବରୁ ପୃଥିବୀ ଉଷ୍ମ ଏବଂ ଶୀତଳ ପର୍ଯ୍ୟାୟ ଦେଇ ଗତିକରିଆସିଛି। କିନ୍ତୁ ବର୍ତ୍ତମାନ ସଂଘଟିତ ହେଉଥିବା ଜଳବାୟୁ ବିପର୍ଯ୍ୟୟ ଯେ ସମ୍ପୂର୍ଣ୍ଣରୂପେ ମାନବ ପ୍ରବର୍ତ୍ତିତ ଏହା ନିଃସନ୍ଦେହ, ଯାହା ପ୍ରାକୃତିକ ପ୍ରକ୍ରିୟାର ବ୍ୟତିକ୍ରମ। ବର୍ଦ୍ଧିତ ଶକ୍ତି ଆବଶ୍ୟକତାର ପୂରଣ ନିମନ୍ତେ ବିଗତ ଦଶନ୍ଧିଗୁଡ଼ିକରେ ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର ବିଶ୍ୱ ପରିବେଶରେ ପ୍ରଦୂଷଣ ବୃଦ୍ଧି କରିଛି। ଏହାସହ ଏବେ ଅଙ୍ଗାରକାମ୍ଳ, ମିଥେନ୍ ଏବଂ ନାଇଟ୍ରସ୍ ଅକ୍ସାଇଡ୍ ପରି ସବୁଜ ଗୃହବାଷ୍ପ (ଗ୍ରୀନ୍ ହାଉସ ଗ୍ୟାସ୍)ର ସାନ୍ଧ୍ରତା ଅତି ଉଚ୍ଚସ୍ତରରେ ପହଞ୍ଚିଛି, ଯାହା ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଭଳିି ସମସ୍ୟାର ପ୍ରମୁଖ କାରଣ ପାଲଟିଛି। ବିଗତ ୮ଲକ୍ଷ ବର୍ଷ ତୁଳନାରେ ଏସବୁର ପରିମାଣ ବର୍ତ୍ତମାନ ସର୍ବାଧିକ ସ୍ତରରେ ପହଞ୍ଚିଛି ବୋଲି ଆମେରିକାର ପରିବେଶ ସୁରକ୍ଷା ଏଜେନ୍ସିର ତଥ୍ୟରୁ ଜଣାପଡ଼ିଛି। ପୃଥିବୀର ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରକ ସାଜିଥିବା ଅଙ୍ଗାରକାମ୍ଳ ପ୍ରାକ୍-ଶିଳ୍ପବିପ୍ଳବ ସମୟରୁ ଅଧୁନା ୪୬ ଶତାଂଶ ଅଧିକ ବୃଦ୍ଧିପାଇଛି। ବିଦ୍ୟୁତ୍ ଶକ୍ତି, ଉତ୍ତାପ ଓ ପରିବହନ ଆଦି କ୍ଷେତ୍ରରେ କୋଇଲା, ତୈଳ ଏବଂ ଗ୍ୟାସ୍ ଭଳି ଜୀବାଶ୍ମ ଇନ୍ଧନର ଅନିୟନ୍ତ୍ରିତ ପ୍ରୟୋଗ ଏବଂ ଜଙ୍ଗଲ ନଷ୍ଟ ହେଉଛି ସବୁଜଗୃହ ବାଷ୍ପ ନିର୍ଗମନର ପ୍ରମୁଖ ଉତ୍ସ। ରାସାୟନିକ ସାର ବ୍ୟବହାର, ପଶୁପାଳନ କ୍ଷେତ୍ରର ପ୍ରସାରଣ, କେତେକ ଶିଳ୍ପ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ଉତ୍ସରୁ ମଧ୍ୟ ଏସବୁ ବାଷ୍ପର ଅଧିକ ନିର୍ଗମନ ଘଟୁଛି। ଆମ ଗ୍ରହର ପ୍ରାକୃତିକ ଅଙ୍ଗାରକଭଣ୍ଡାର ରୂପେ କାର୍ଯ୍ୟରତ ଜଙ୍ଗଲ ଏବଂ ମହାସାଗରଗୁଡ଼ିକ ବାୟୁମଣ୍ଡଳରୁ ଏହି ଅତିରିକ୍ତ ପରିମାଣର ବାଷ୍ପକୁ ଶୋଷଣକରିବାରେ ଅସମର୍ଥ ହେଉଥିବା ପରିପ୍ରେକ୍ଷୀରେ ପ୍ରାକୃତିକ ସନ୍ତୁଳନରେ ବ୍ୟାଘାତ ଘଟୁଛି ତଥା ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ଗମ୍ଭୀରତା ବୃଦ୍ଧିପାଉଛି।
ଏବେ ଖବରକାଗଜର ପୃଷ୍ଠା ଉନ୍ମୋଚନ ଅଥବା ଟିଭି ଖବର ଉପରେ ଦୃଷ୍ଟି ନିକ୍ଷେପକଲେ ଦୈନିକ ଭିତ୍ତିରେ ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଅନେକ ଭୟାବହ ଘଟଣା ଆମର ଦୃଷ୍ଟିଗୋଚର ହେଉଛି। ଉତ୍ତାପ ବୃଦ୍ଧି, ଗ୍ରୀଷ୍ମପ୍ରବାହ, ଝଡ଼ବାତ୍ୟା, ବାଦଲଫଟା ବର୍ଷା, ତ୍ୱରିତ ବନ୍ୟା, ବଜ୍ରପାତ, ଭୂସ୍ଖଳନ, ଜଙ୍ଗଲାଗ୍ନି, ମରୁଡ଼ି ଏବଂ ସମୁଦ୍ରପତ୍ତନର ଉତ୍ଥାନ ଆଦି ଚରମ ପାଣିପାଗଜନିତ ଘଟଣା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଂଘଟିତ ହେଉଛି। ଏସବୁର ସଂଖ୍ୟା ଓ ତୀବ୍ରତାରେ କ୍ରମାଗତ ବୃଦ୍ଧି ଆମକୁ ଜଳବାୟୁ ବିପର୍ଯ୍ୟୟର ଗମ୍ଭୀରତା ଏବଂ ପ୍ରତିହତ ନିମନ୍ତେ ଆବଶ୍ୟକ ଜରୁରୀ ପଦକ୍ଷେପ ବିଷୟରେ ସତର୍କ କରାଉଛି। ବିଶ୍ୱାସଯୋଗ୍ୟ ହେଉ ନ ଥିଲେ ମଧ୍ୟ ଗ୍ରହର ସର୍ବାଧିକ ଶୀତଳ ଏବଂ ଶୁଷ୍କ ମହାଦେଶ ଆଣ୍ଟାର୍କଟିକା ଏସବୁ ଘଟଣାର ବ୍ୟତିକ୍ରମ ନୁହେଁ, ଯେଉଁଠି ୨୦୨୨ରେ ଅଭୂତପୂର୍ବ ଗ୍ରୀଷ୍ମପ୍ରବାହ ଏବଂ ଅତ୍ୟଧିକ ବୃଷ୍ଟିପାତ ଘଟଣା ଦୃଶ୍ୟମାନ ହୋଇଥିଲା। ନିକଟରେ ଆମେରିକୀୟ ପାଣିପାଗ ସମିତିର ବୁଲେଟିନ୍ ସୂଚାଇଛି ଯେ ବର୍ଦ୍ଧିତ ଉତ୍ତାପର ପ୍ରଭାବରେ ଆଣ୍ଟାର୍କଟିକାର ବିସ୍ତୀର୍ଣ୍ଣ ବରଫାବୃତ୍ତ ଅଞ୍ଚଳ ତ୍ୱରିତ ବେଗରେ ତରଳି ଐତିହାସିକ ପରିଣାମରେ ହ୍ରାସପାଇଛି, ଯାହା ସମୁଦ୍ର ପତ୍ତନ ବୃଦ୍ଧିରେ ସହାୟକ ହେଉଛି। ଏପରି ଘଟଣା ବିଶ୍ୱର ବିଭିନ୍ନ ପ୍ରାନ୍ତରେ କ୍ରମେ ଉପକୂଳ ଅଞ୍ଚଳରେ ଯଥେଷ୍ଟ ରୂପେ କ୍ଷତିସାଧନ କରୁଛି। ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟରତ ଆନ୍ତଃ ସରକାରୀ ଗୋଷ୍ଠୀ (ଆଇପିସିସି)ର ୨୦୨୩ରେ ପ୍ରକାଶିତ ଷଷ୍ଠ ରିପୋର୍ଟରେ ଏହି ପରିପ୍ରେକ୍ଷୀରେ ପ୍ରକାଶିତ ସତର୍କବାଣୀକୁ ଯେତିକି ଗମ୍ଭୀରତାର ସହ ଗ୍ରହଣ କରାଯିବା ବାଞ୍ଛନୀୟ, ତାହା ମାନବଜାତି ନିକଟରେ ପରିଦୃଷ୍ଟ ହେଉନାହିଁ। ତାପମାତ୍ରା ବୃଦ୍ଧିର ନିୟନ୍ତ୍ରଣ ନିମନ୍ତେ ସବୁଜ ଗୃହ ବାଷ୍ପ ନିର୍ଗମନକୁ ହ୍ରାସକରି ବାୟୁମଣ୍ଡଳରେ ସେସବୁର ପରିମାଣ ସ୍ଥିର ରଖିବା ଅପରିହାର୍ଯ୍ୟ। ଆମକୁ ବିଭିନ୍ନ ଉତ୍ସରୁ ଏସବୁ ବାଷ୍ପର ଉତ୍ସର୍ଜନକୁ ଯଥେଷ୍ଟ ହ୍ରାସକରିବା ନିମନ୍ତେ ପ୍ରତିବଦ୍ଧହେବାକୁ ପଡ଼ିବ।
ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ପରିଣାମରେ ପ୍ରାକୃତିକ ବିପର୍ଯ୍ୟୟ ସବୁର କ୍ରମବୃଦ୍ଧି ବିଶ୍ୱ ନେତୃବର୍ଗଙ୍କୁ ଏପରି ଧ୍ବଂସକାରୀ ପ୍ରକ୍ରିୟାର ନିୟନ୍ତ୍ରଣ ଉଦ୍ଦେଶ୍ୟରେ ସମ୍ମିଳିତ ପଦକ୍ଷେପ ଗ୍ରହଣ ନିମନ୍ତେ ବାଧ୍ୟକରୁଛି। ଏହାର ପ୍ରଚ୍ଛଦରେ ରହିଛି ଆଇପିସିସି ଏବଂ ଅନ୍ୟାନ୍ୟ ବୈଜ୍ଞାନିକ ସଙ୍ଗଠନଗୁଡ଼ିକର ସତର୍କବାଣୀ। ପରିଣାମ ସ୍ବରୂପ, ଜାତିସଂଘ ଆୟୋଜିତ ଜଳବାୟୁ ସମ୍ମିଳନୀରେ ଗମ୍ଭୀର ଆଲୋଚନାମାନ ଅନୁଷ୍ଠିତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଲକ୍ଷ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହେଉଛି। ପ୍ୟାରିସ୍ରେ ୨୦୧୫ରେ ଅନୁଷ୍ଠିତ ସମ୍ମିଳନୀରେ ନିଷ୍ପତ୍ତି ଗୃହୀତ ହେଲା ତାପମାତ୍ରା ବୃଦ୍ଧିକୁ ଦେଢ଼(୧.୫) ଡିଗ୍ରୀ, ଅତିବେଶିରେ ୨ଡିଗ୍ରୀ ସେଲସିୟସ୍ ମଧ୍ୟରେ ନିଶ୍ଚିତରୂପେ ସୀମାବଦ୍ଧ ରଖିବା, ଯାହା ଏପର୍ଯ୍ୟନ୍ତ ୧୯୫ ରାଷ୍ଟ୍ର ଦ୍ୱାରା ଅନୁମୋଦିତ ହୋଇସାରିଛି। ଅନ୍ୟଥା ମାନବ ଜାତି ତଥା ସମଗ୍ର ଜୀବଜଗତ ଆଗାମୀ ସମୟରେ ଜଳବାୟୁ ବିପର୍ଯ୍ୟୟର ଭୟଙ୍କର ପ୍ରଭାବରେ ଧ୍ୱଂସାଭିମୁଖୀହେବ। ବର୍ତ୍ତମାନ କୃଷି ଉତ୍ପାଦନ, ସ୍ବାସ୍ଥ୍ୟସେବା, ଜଳ ଉପଲବ୍ଧି, ଜୈବ ବିବିଧତା, ଉପକୂଳ ଅଞ୍ଚଳ, ଦ୍ୱୀପପୁଞ୍ଜଦେଶ ଏବଂ ସାମଗ୍ରିକଭାବେ ମାନବଜାତି ଓ ପ୍ରାକୃତିକ ପରିସଂସ୍ଥା ମାନ କ୍ରମଶଃ ଗମ୍ଭୀର ପରିଣାମର ଶିକାର ହେଲେଣି।
ତେବେ ପ୍ୟାରିସ୍ ଲକ୍ଷ୍ୟସାଧନ ଦିଗରେ ଅଳ୍ପକେତେକ ବିକଶିତ ଦେଶ ବ୍ୟତିରେକ ଅଧିକାଂଶ ଅନ୍ୟ ରାଷ୍ଟ୍ର ଜୀବାଶ୍ମ ଇନ୍ଧନ ବ୍ୟବହାରରେ ସଙ୍କୁଚନ ଏବଂ ବିକଳ୍ପ, ଅଣପାରମ୍ପରିକ, ସ୍ବଚ୍ଛ ଇନ୍ଧନର ବହୁଳ ବ୍ୟବହାରକୁ ଏ ପର୍ଯ୍ୟନ୍ତ ଆଶାନୁରୂପ ଉଚ୍ଚସ୍ତରକୁ ନେବାରେ ସଫଳତା ଅର୍ଜନ କରିନାହାନ୍ତି। ପ୍ରତ୍ୟେକ ରାଷ୍ଟ୍ର ଜାତୀୟସ୍ତରରେ ନିର୍ଗମନ ହ୍ରାସ ପାଇଁ ଯେଉଁ ନିର୍ଦ୍ଧାରିତ ଅବଦାନ ରଖିବା ବାଞ୍ଛନୀୟ, ତାହା ବିଳମ୍ବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ୨୦୨୪ରୁ ଆରମ୍ଭହେବାକୁ ଥିବା ଏକ ଉନ୍ନତ ସ୍ବଚ୍ଛତା ଢାଞ୍ଚା (ଇଟିଏଫ୍)ର ପ୍ରତିଷ୍ଠା ହୋଇଛି, ଯାହା ଅଧୀନରେ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ ହ୍ରାସ, ଉପଯୋଗୀ ପଦକ୍ଷେପ ଗ୍ରହଣ ଏବଂ ପ୍ରଦାନ କରିଥିବା କିମ୍ବା ପ୍ରାପ୍ତହୋଇଥିବା ସହାୟତା ସମ୍ପର୍କରେ ସ୍ବଚ୍ଛତା ଅବଲମ୍ବନ ପୂର୍ବକ ଜାତିସଂଘକୁ ରିପୋର୍ଟ ପ୍ରଦାନ କରିବେ। ବୈଷୟିକ ଜ୍ଞାନ ବିନିମୟ ଏବଂ ଆର୍ଥିକ ସହାୟତା ପ୍ରଦାନ ପ୍ରସଙ୍ଗରେ ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥିବା ମତଭେଦ ମଧ୍ୟ ଦୂରୀଭୂତ ହେବାରେ ବିଳମ୍ବ ଘଟୁଛି। ଜଳବାୟୁ ପରିବର୍ତ୍ତନର ବିନାଶକାରୀ ପ୍ରଭାବକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ୨୦୩୦ ସୁଦ୍ଧା ବିଶ୍ୱ ଜଳବାୟୁ ପାଣ୍ଠିକୁ ଅତିକ୍ରମେ ସ୍ଥିରୀକୃତ ବାର୍ଷିକ ୪.୩ ଟ୍ରିଲିୟନ ଡଲାରର ଆନୁମାନିକ ଆର୍ଥିକ ପ୍ରବାହ ଆବଶ୍ୟକତାଠାରୁ ଯଥେଷ୍ଟ ନିମ୍ନରେ ରହିଛି।
ରେକର୍ଡ ଉତ୍ତାପ ବୃଦ୍ଧି ଏବଂ ଚରମ ପାଣିପାଗ ଘଟଣା ପରିପ୍ରେକ୍ଷୀରେ ସମ୍ପ୍ରତି ସାରା ବିଶ୍ୱରେ ସହସ୍ରାଧିକ ଜଳବାୟୁ ପ୍ରଦର୍ଶନକାରୀ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ବନ୍ଦକରିବାକୁ ଆହ୍ବାନଦେବା ସହ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଅଧିକ ଟିକସର ପ୍ରାବଧାନ, ମାଂସାହାର ବନ୍ଦକରିବା ଏବଂ ଜଳବାୟୁର ସୁରକ୍ଷା ଉଦ୍ଦେଶ୍ୟରେ କଠୋର ଆଇନ ପ୍ରଣୟନ ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି। ଜାତିସଂଘ ଚେତାବନୀ ଦେଇଛି ଯେ ପ୍ୟାରିସ୍ ଜଳବାୟୁ ସମ୍ମିଳନୀର ସହମତି ଅନୁଯାୟୀ ପ୍ରାକ୍-ଶିଳ୍ପବିପ୍ଳବ ତୁଳନାରେ ୧.୫ ଡିଗ୍ରୀ ମଧ୍ୟରେ ଉତ୍ତାପ ବୃଦ୍ଧିକୁ ରୋକିବାର ସିଦ୍ଧାନ୍ତଠାରୁ ରାଷ୍ଟ୍ରଗୁଡ଼ିକ ଦୂରରେ ରହୁଛନ୍ତି। ଇତିମଧ୍ୟରେ ବିଶ୍ୱ ଅତିକ୍ରମେ ୧.୧୨ଡିଗ୍ରୀ ଅଧିକ ଉତ୍ତପ୍ତ ହୋଇସାରିଲାଣି। ତେଣୁ ଦେଢ଼ ଡିଗ୍ରୀର ଲକ୍ଷ୍ୟହାସଲ ସମ୍ଭବପର ହେବନାହିଁ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ବିଗତ କିଛି ମାସରେ ପୃଥିବୀର ହାରାହାରି ଉତ୍ତାପରେ ରେକର୍ଡବୃଦ୍ଧି ଘଟିଛି। ଜୁଲାଇ୨୦୨୩ ସର୍ବାଧିକ ଉତ୍ତପ୍ତ ମାସ ରୂପେ ପରିଗଣିତ ହୋଇଛି ଏବଂ ଉତ୍ତରଗୋଲାର୍ଦ୍ଧର ଗ୍ରୀଷ୍ମସବୁଠାରୁ ଉତ୍ତପ୍ତ ବୋଲି ଘୋଷଣା କରାଯାଇଛି। ଏବେ ସମୟ ଅବତୀର୍ଣ୍ଣ ହୋଇଛି ଯେତେବେଳେ ଅଧିକରୁ ଅଧିକ ରାଷ୍ଟ୍ର, ରାଜ୍ୟ, ଅଞ୍ଚଳ, ସହର, କମ୍ପାନୀ ଏବଂ ଅନୁଷ୍ଠାନ ପ୍ୟାରିସ୍ ଲକ୍ଷ୍ୟସାଧନ ଉଦ୍ଦେଶ୍ୟରେ ଅଙ୍ଗାରକାମ୍ଳ ନିରପେକ୍ଷତା ହାସଲ ଉଦ୍ଦେଶ୍ୟରେ କାର୍ଯ୍ୟଧାରା ତ୍ୱରାନ୍ବିତ କରିବେ ଏବଂ ଭବିଷ୍ୟତର ପିଢ଼ିଙ୍କ ନିମନ୍ତେ ଏକ ସୁରକ୍ଷିତ, ସୁନ୍ଦର ପୃଥିବୀର ପୁନରୁଦ୍ଧାର କରିବେ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
jk.panigrahi@gmail.com
ମୋ: ୯୪୩୭୦୭୬୧୦୦