କେନ୍ଦ୍ରାପଡ଼ା ଅଫିସ,୨୯ା୮: ବେଲୁନରେ ଅତ୍ୟଧିକ ପବନ ଭରିଲେ ଫାଟିଯାଏ। ଏହି ପରିସ୍ଥିତି ଜାତୀୟଉଦ୍ୟାନ ଭିତରକନିକା ଅଞ୍ଚଳରେ କୁମ୍ଭୀର ବଂଶ ବୃଦ୍ଧି କ୍ଷେତ୍ରରେ ଦେଖାଯାଇଛି। ଭିତରକନିକାର ସୀମିତ ଅଞ୍ଚଳରେ ଅତ୍ୟଧିକ କୁମ୍ଭୀର ପ୍ରଜନନ କେନ୍ଦ୍ରାପଡ଼ା ଜିଲା ସମେତ ନିକଟସ୍ଥ ଯାଜପୁର ଓ ଭଦ୍ରକ ଜିଲାରେ ଆତଙ୍କ ଖେଳାଇଛି।ପ୍ରତିମାସରେ କୁମ୍ଭୀର ଓ ମଣିଷ ଲଢ଼େଇ ଦେଖିବାକୁ ମିଳୁଛି। ସାଇନ୍ବୋର୍ଡରେ ସଚେତନତା କାର୍ଯ୍ୟକ୍ରମ ସୀମିତ ରହିଥିବା ବେଳେ ନଦୀ ନାଳ ଅଞ୍ଚଳରେ ଥିବା କୁମ୍ଭୀରକୁ ବାର୍ଷିକ ଗଣନାରେ ସାମିଲ କରାଯାଉନାହିଁ। ୧୯୯୧ରେ ଜାତୀୟଉଦ୍ୟାନରେ କୁମ୍ଭୀର ବଂଶବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟବରଣ ମନ୍ତ୍ରଣାଳୟରୁ ଚିଠି ଆସିଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ୍ମାନେ ମତ ଦେଇଛନ୍ତି।
ଏସମ୍ପର୍କରେ ପରିବେଶବିତ୍ ତଥା କଇଁଛ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ କହିଛନ୍ତି, ଲୁଣା କୁମ୍ଭୀର ପାଇଁ ଭିତରକନିକା ପ୍ରସିଦ୍ଧ। ଗତ ଜାନୁୟାରୀ ଗଣନା ଅନୁଯାୟୀ ଭିତରକନିକାରେ ୧୭୮୪ କୁମ୍ଭୀର ଅଛନ୍ତି। ସେଠାରେ ଧଳା କୁମ୍ଭୀର ସହ ଅନ୍ୟ ୨ ପ୍ରଜାତି କୁମ୍ଭୀର ମଧ୍ୟ ଦେଖାଗଲାଣି। ତେବେ ଜାତୀୟ ଉଦ୍ୟାନର ସୀମିତ ଅଞ୍ଚଳରେ ଏହି ସଂରକ୍ଷିତ ପ୍ରାଣୀଙ୍କ ବଂଶ ବୃଦ୍ଧି ଜିଲା ଓ ଅନ୍ୟ ଜିଲାରେ ଆତଙ୍କ ଖେଳାଇଛି। ଗତ ୧୦ ବର୍ଷର ହିସାବକୁ ନିଆଗଲେ ପ୍ରାୟ ଶତାଧିକ ଲୋକ କୁମ୍ଭୀର ଆକ୍ରମଣରେ ମୃତାହତ ହେଲେଣି। ସେହିପରି ଜାଲ ଓ ଅନ୍ୟ କାରଣରୁ ୨୫ରୁ ଊର୍ଦ୍ଧ୍ୱ କୁମ୍ଭୀରଙ୍କ ଜୀବନ ଗଲାଣି। ଗତ ୪ ମାସ ମଧ୍ୟରେ ୩ ଜଣଙ୍କ ଏହି କାରଣରୁ ମୃତ୍ୟୁ ଘଟିଛି। ସଂଖ୍ୟା ଗଣନାରେ ସାମିଲ ନ ଥିବା ନଦୀ ନାଳରେ କୁମ୍ଭୀର ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଯାଜପୁରର କୟଁାଗୋଲା, ଦଶରଥପୁର, ଭଦ୍ରକର ବିଭିନ୍ନ ନଦୀକୂଳବାସୀ ଆତଙ୍କିତ ହେଉଛନ୍ତି। ଜାତୀୟ ଉଦ୍ୟାନ ବାହାରେ ଥିବା ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଓ ରାଜନଗରରେ କୁମ୍ଭୀର ପ୍ରତି ସାବଧାନ ସାଇନ୍ବୋର୍ଡରେ ସଚେତନତା କାର୍ଯ୍ୟକ୍ରମ ସୀମିତ ରହୁଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଡେରାଡୁନସ୍ଥ ୱାଇଲ୍ଡଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପୂର୍ବତନ ବନ୍ୟପ୍ରାଣୀ ବିଶେଷଜ୍ଞ ବି.ସି. ଚୌଧୁରୀ କହିଛନ୍ତି, ସୀମିତ ଅଞ୍ଚଳରେ ଏହି ପ୍ରଜାତିର କୁମ୍ଭୀରଙ୍କ ଅତ୍ୟଧିକ ବଂଶବୃଦ୍ଧି ଚିନ୍ତାର କାରଣ ହେବା ସ୍ବାଭାବିକ କଥା। ଖାଦ୍ୟ, ପ୍ରଜନନ ପାଇଁ ପାର୍ଟନର, ବସା ସ୍ଥାପନ ସହିତ ଅନ୍ୟ ସମସ୍ୟା ରହିବ। ଯାହା କଳହର ସୂତ୍ରପାତ କରିବା ସହିତ ବଂଶବୃଦ୍ଧି ପାଇଁ ନିକଟସ୍ଥ ଅଞ୍ଚଳକୁ ବ୍ୟବହାର କରିବେ। ଏଠାରେ ଅତ୍ୟାଧିକ ବଂଶବୃଦ୍ଧିକୁ ରୋକିବା ପାଇଁ ୧୯୯୧ରେ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କୁମ୍ଭୀରର ଅତ୍ୟଧିକ ବଂଶବୃଦ୍ଧି ଯୋଗୁ ବର୍ଷା ଓ ବନ୍ୟା ସମୟରେ ବାହାର ଅଞ୍ଚଳକୁ ପଳାଇବା ସାଧାରଣ କଥା। ଫଳରେ ମଣିଷ ଓ କୁମ୍ଭୀର ଲଢ଼େଇ ବଢ଼ିବ। ଏହାକୁ ରୋକିବା ସହିତ ଲୁଣା ଅଞ୍ଚଳରେ ମାଛ ବଂଶ ବୃଦ୍ଧି ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ବିଶେଷଜ୍ଞ ଡ. ସୁଧାକର କର କହିଛନ୍ତି, ୧୯୭୫ରେ ଭିତରକନିକାରେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ସଂରକ୍ଷଣ ଜରୁରୀ ଥିଲା। ୧୯୯୧ରେ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୧୯୯୫ରେ ସଂରକ୍ଷଣ କାର୍ଯ୍ୟକ୍ରମକୁ ବନ୍ଦ ରଖାଗଲା। ଆରମ୍ଭ ସମୟରେ ମାତ୍ର ୯୪ଟି କୁମ୍ଭୀର ଥିବାବେଳେ ୨୦ ବର୍ଷରେ ଏହା ୧୦୦୦କୁ ବୃଦ୍ଧି ପାଇ ସାରିଥିଲା। ଏହାସତ୍ତ୍ୱେ ଏବେ ମଧ୍ୟ କୁମ୍ଭୀର ଅଣ୍ଡା ସଂଗ୍ରହ ଓ ହାଚେରୀରେ ସଂରକ୍ଷଣ କରାଯାଉଛି। ସୀମିତ ଅଞ୍ଚଳରେ କୁମ୍ଭୀରଙ୍କ ଅତ୍ୟଧିକ ବଂଶ ବୃଦ୍ଧି ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଘାତକ ହେବ ବୋଲି ଡ. କର ମତ ରଖିଛନ୍ତି। ଏସମ୍ପର୍କରେ ଡିଏଫ୍ଓ ଡ. ଯଜ୍ଞଦତ୍ତ ପତି ଗତ ଦୁଇ ଦଶନ୍ଦୀ ପୂର୍ବେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟକ୍ରମ ବନ୍ଦ ହୋଇଥିବା ସୂଚନା ଦେଇଛନ୍ତିି।