ଚିନ୍ତାରେ ଯାତ୍ରୀ, ଅଞ୍ଚଳବାସୀ

ଖଇରା,୨୦।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଅଞ୍ଚଳର ପ୍ରମୁଖ ସଡ଼କ ପଥ ସୋର-କୁପାରୀ ପୂର୍ତ୍ତ ବିଭାଗ ରାସ୍ତାରେ ବହୁ ସଂଖ୍ୟକ ଚିପ୍ସ ଓ ପଥର ବୋଝେଇ ଟ୍ରକ୍‌ ଚଳଚଳାକୁ ନେଇ ଯାତ୍ରୀ ଓ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି। ଦିନତମାମ ବଡ଼ ବଡ଼ ଟ୍ରେଲର,ଡମ୍ପର ଏହି ରାସ୍ତାଦେଇ ୭୦ଟନରୁ ଊର୍ଦ୍ଧ୍ୱ ମାଲ ଖଣି ଓ କ୍ରସରରୁ ନେଇ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବା ବେଳେ ଏବେ ରାସ୍ତା ସଂଲଗ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଛନ୍ତି। ୧୫ଦିନ ମଧ୍ୟରେ ରାସ୍ତାଟି ଭାଙ୍ଗିରୁଜି ଗଲାଣି। ତୁରନ୍ତ ଏହି ଭାରୀଯାନ ଚଳାଚଳ ନିଷିିଦ୍ଧ କରିବାକୁ ବିଭିନ୍ନ ସଙ୍ଗଠନ ତଥା ଅବିଭାବକମାନଙ୍କ ପକ୍ଷରୁ ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି। ଉକ୍ତ ରାସ୍ତାଟି ପାଖାପାଖି ୩ବର୍ଷ ତଳେ ଶେଷ ହୋଇଥିଲା। ଦୈନିକ ହଜାର ହଜାର ଲୋକ ଏହି ରାସ୍ତାରେ ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ ଓ କେନ୍ଦୁଝରକୁ ଯିବା ଆସିବା କରନ୍ତି। ନିକଟରେ ଶାରିଶୁଆ ପାହଡ଼ରେ ବିଭିନ୍ନ ଖଣି ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଛୋଟ ଛୋଟ ଟ୍ରକ୍‌ ଚିପ୍ସ, ମେଟାଲ ଓ ପଥର ବୋଝେଇ କରି ଯିବାଆସିବା ଆରମ୍ଭ କରିଥିଲେ। ଏବେ ୧୫ଦିନ ହେଲା ପଶ୍ଚିମବଙ୍ଗରୁ ୧୬ଚକ ଓ ୧୮ଚକ ବିଶିଷ୍ଟ ଗାଡ଼ି ଦୈନିକ ଶହ ଶହ ସଂଖ୍ୟାରେ ଯାତାୟାତ କରୁଥିବାରୁ ରାସ୍ତା ନଷ୍ଟ ହେବାରେ ଲାଗିଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସଙ୍ଗୀତା ସାହୁଙ୍କୁ ପଚାରିବାରେ ୧୦ଟନ୍‌ ଲୋଡ୍‌ ନେବାପାଇଁ ଏହି ରାସ୍ତାର ସାମର୍ଥ୍ୟ ଥିବା ବେଳେ ୭୦ ଓ ୮୦ଟନ ବିଶିଷ୍ଟ ଗାଡ଼ି ବାହାର ରାଜ୍ୟକୁ ଚାଲାଣ କରାଯାଉଥିବାରୁ ରାସ୍ତାର ସ୍ଥାୟିତ୍ୱ ଉପରେ ପ୍ରଭାବ ପକାଇବା ନିଶ୍ଚିତ ବୋଲି କହିଛନ୍ତି। ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜନ ଦଳବେହେରାଙ୍କୁ ପଚାରିବାରେ ଲିଖିତ ଭାବେ ଅଭିଯୋଗ କରାଗଲେ ଗାଳି ଚଳାଚଳ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।