Categories: ଜାତୀୟ

ଗୁଜରାଟରେ ଭାଜପାର ଚିନ୍ତା ବଢ଼ିଲା, ଟିକଟ ପାଇ ନ ଥିବା ୫ ନେତା ସ୍ବାଧୀନ ଭାବେ ଲଢ଼ିବାକୁ ଦେଲେ ଧମକ…

ଅହମଦାବାଦ,୧୩।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଟିକଟ କଟାଯାଇଥିବା ବିଧାୟକମାନେ ଦଳ ବିରୋଧରେ ବିଦ୍ରୋହ କରିବାର ଆଶଙ୍କା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ସଳର ଜଣେ ସିଟିଂ ବିଧାୟକ ଏବଂ ଚାରିଜଣ ପୂର୍ବତନ ବିଧାୟକ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଧମକ ଦେଇଛନ୍ତି।

ସେହିପରି ଦଳର କିଛି ଅସନ୍ତୁଷ୍ଟ ନେତା କହିଛନ୍ତି ଯେ ସେମାନେ ସେମାନଙ୍କ ସମର୍ଥକଙ୍କ ସହ ପରାମର୍ଶ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ। ପୂର୍ବତନ ଭାଜପା ବିଧାୟକ ହର୍ଷଦ ଭାସାଭା ନନ୍ଦୋଦ ଅନୁସୂଚିତ ଜନଜାତି ସଂରକ୍ଷିତ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ହର୍ଷଦ ଭାସାଭା ଭାଜପାର ଗୁଜୁରାଟ ୟୁନିଟର ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି। ସେ ୨୦୦୨ ରୁ ୨୦୦୭ପର୍ଯ୍ୟନ୍ତ ଏବଂ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ରାଜପିପ୍ଲା ଆସନକୁ ପ୍ରତିନିଧିତ୍ୱ କରିଥିଲେ। ନର୍ମଦା ଜିଲାର ନନ୍ଦୋଦ ଆସନ ବର୍ତ୍ତମାନ କଂଗ୍ରେସ ଦଖଲରେ ରହିଛି। ଏହି ଆସନରୁ ଭାଜପା ଦର୍ଶନ ଦେଶମୁଖଙ୍କୁ ଟିକଟ ଦେଇଛି। ଏହି ଘୋଷଣାକୁ ନେଇ ଅସନ୍ତୁଷ୍ଟ ହର୍ଷଦ ଭାସାଭା ଭାଜପାରେ ଥିବା ନିଜପଦରୁ ଇସ୍ତଫା ଦେଇଛନ୍ତି ଏବଂ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସେହିପରି ବଡୋଦରାର ୬ଥର ବିଧାୟକ ରହିଥିବା ମଧୁ ଶ୍ରୀବାସ୍ତବ ଟିକଟ ନ ମିଳିବା କାରଣରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଅପରପକ୍ଷରେ ପାଦରା ଆସନର ପୂର୍ବତନ ବିଧାୟକ ଦିନେଶ ପଟେଲ ସ୍ବାଧୀନଭାବେ ନିର୍ବାଚନ ଲଢ଼ିବାକୁ ଯୋଜନା କରିଛନ୍ତି।

କରଜନରେ ସତୀଶ ପଟେଲ ମଧ୍ୟ ଟିକଟ ନ ପାଇ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜୁନାଗଡ଼ର କିଶୋଦ ଆସନରୁ ଲଢ଼ିବା ପାଇଁ ପୂର୍ବତନ ବିଧାୟକ ଅରବିନ୍ଦ ଲଡ଼ାନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଇତିମଧ୍ୟରେ ରାଜ୍ୟର ୧୮୨ ବିଧାନସଭା ଆସନ ପାଇଁ ଭାଜପା ୧୬୬ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି।

Share