ହାତୀ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

କେନ୍ଦୁଝର,୭ା୧(ସ୍ବ.ପ୍ର.): କେନ୍ଦୁଝର ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଆର୍‌ସିସିଏଫ୍‌ ରାଉରକେଲାର ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ହାତୀମାନଙ୍କ ସୁରକ୍ଷାକୁ ନେଇ ଆଞ୍ଚଳିକସ୍ତରରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହାତୀମାନଙ୍କର ବିଭିନ୍ନ ସମସ୍ୟା ଏବଂ ସେସବୁର ସମାଧାନ ଉପରେ ଆଲୋଚନା ହୋଇଥିଲା। ବିଶେଷକରି ହାତୀମାନଙ୍କ ସଂଖ୍ୟାର ନୀରିକ୍ଷଣ,ହାତୀ ଶିକାର ରୋକିବା ପାଇଁ ସ୍ବତନ୍ତ୍ର ପ୍ରଣାଳୀ ପ୍ରସ୍ତୁତ,ରେଳ ରାସ୍ତା ଦୁର୍ଘଟଣା ରୋକିବା,ବିଦ୍ୟୁତ ଆଘାତରୁ ସୁରକ୍ଷା, ହାତୀମାନଙ୍କ ସୁରକ୍ଷା ଲୋକଙ୍କ ସହଭାଗିତାରେ କିପରି କରାଯାଇପାରିବ ତାହା ନିର୍ଦ୍ଧାରଣ କରାଯାଇଥିଲା। ଏହାବ୍ୟତୀତ ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତି କ୍ଷତିଗସ୍ତ ଲୋକଙ୍କୁ ଠିକ୍‌ ସମୟରେ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗଜସାଥୀ ଜନସୁରକ୍ଷା-ଗଜରକ୍ଷା ଆଦି ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଗତ ୧୦ବର୍ଷରେ ହୋଇଥିବା ହାତୀ ମୃତ୍ୟୁ ବିଭିନ୍ନ ଡିଭିଜନରେ ହାତୀମାନଙ୍କ ବିପଦ ସୃଷ୍ଟି କରୁଥିବା ବ୍ୟବସ୍ଥା,ହାତୀମାନଙ୍କ କରିଡର,ଚଲାପଥ ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ କେନ୍ଦୁଝର ଡିଏଫ୍‌ ନଟରାଜ ଏଚ୍‌ଡିଙ୍କ ସମେତ ବଣେଇ, ଦେବଗଡ଼, ରାଉଲକେଲା, ସୁନ୍ଦରଗଡ଼ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସମେତ ବନ ବିଭାଗର ବହ ବରିିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।