ନିମ୍ନମାନର ରାସ୍ତା,ସେତୁକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା,୨୩ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ନିର୍ମାଣ ହେଉଥିବା ରାସ୍ତାର ସ୍ଥାୟିତ୍ୱ ବର୍ଷଟିଏ ରହୁନାହିଁ । ନିର୍ମାଣ ପରେ ଅଥବା କାମ ଚାଲୁଥିବା ବେଳେ ସେତୁ ଭୁଶୁଡ଼ି ପଡୁଛି। ଗତ ୮ ତାରିଖରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ତିନିମୁହାଣୀ ନିକଟ ଚଟିପୋଲର କିଛି ଅଂଶ ଗୋବରୀ ନଦୀକୁ ଧସି ପଡିଛି । ସେହିପରି ସେଠାରେ ନିର୍ମାଣାଧୀନ ଏକ ପୋଲର କାନ୍ଥ ୨୦୨୨ରେ ଭୁଶୁୁଡି ପଡିଥିଲା । ଆଗକୁ ବର୍ଷାଋତୁ ଆସୁଥିବାରୁ ରାସ୍ତା ଓ ସେତୁକୁ ନେଇ ହୋଇଥିବା ଅବ୍ୟବସ୍ଥା ଜିଲାବାସୀଙ୍କ ଯାତାୟତରେ ଆଶଙ୍କା ସୃଷ୍ଟି କରିଛି । ତୁରନ୍ତ ରାସ୍ତା ଓ ସେତୁ ନିର୍ମାଣ ସହ ନିମ୍ନମାନର କାର୍ଯ୍ୟ କରିଥିବା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କେନ୍ଦ୍ରାପଡା ସୁରକ୍ଷା ସମିତି ପକ୍ଷରୁ କରାଯାଇଛି ।

ସହରର ତିନିମୁହାଣୀସ୍ଥିତ ରାମମନ୍ଦିର ପରିସରରେ ଏକ ଖବରଦାତା ସମ୍ମିଳନୀ ଶନିବାର ଆୟୋଜିତ ହୋଇଥିଲା । ଏଥିରେ ପରିଷଦ କର୍ମକର୍ତ୍ତା କରୁଣାକର ସାହୁ, ଶଶାଙ୍କ ଶେଖର ଜେନା, ମାଧବ ଜେନା, ବଟକୃଷ୍ଣ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ସେମାନେ କହିଥିଲେ, ଗତ କିଛି ବର୍ଷ ଧରି ବିଭିନ୍ନ ବିଭାଗର ପଦାଧିକାରୀ ଓ ଠିକାଦାରଙ୍କ ସଲାସୁତୁରା ନୀତି ଯୋଗୁ ଜିଲା ବିକାଶ ବନ୍ଦ ହୋଇଛି । ସରକାରୀ ଅନୁଦାନ ଆସୁଥିଲେ ମଧ୍ୟ ଚୁକ୍ତି ମୁତାବକ କାର୍ଯ୍ୟ ହେଉନାହିଁ । ପ୍ରତ୍ୟେକ ରାସ୍ତାର ସୁରକ୍ଷା ପାଇଁ ସର୍ବନିମ୍ନ ସମୟ ଅବଧି ୫ ବର୍ଷ ରହିଥାଏ । ତେବେ ଏହି ଜିଲାରେ ନିର୍ମାଣର ମାସେ ସମୟ ମଧ୍ୟରେ ରାସ୍ତାଗୁଡିକ ଯାତାୟତ ପାଇଁ ଅନୁପୋଯୋଗୀ ହୋଇପଡୁଛି । ସେହିପରି ନିର୍ମାଣ ଅବଧି ଶେଷ ପରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଅଧା ପର୍ଯ୍ୟନ୍ତ ଯାଉନାହିଁ । ନିକଟରେ ଦୁଇଟି ଘଟଣା ଜନବହୁଳ ଯାତାୟତ ରାସ୍ତା ତିନିମୁହାଣୀ ନିକଟରେ ଘଟିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ତପତ୍ରତା ପ୍ରକାଶ କରୁନାହାନ୍ତି । ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଏହି ରାଜ୍ୟ ରାଜପଥରେ ଯାତାୟତ ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ସହିତ ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଏହି ସମ୍ମିଳନୀରେ ପରିଷଦର ପର୍ଶୁରାମ ସାହୁ, ଗୋଲକ ସେଠୀ, ନରେନ୍ଦ୍ର ସାହୁ, କାଳନ୍ଦୀ ପୃଷ୍ଟି, ମନୋରଞ୍ଜନ ସାମଲ ପ୍ରମୁଖ ସାମିଲ ହୋଇଥିଲେ।