ଢେଙ୍କାନାଳ ଅଫିସ, ୧୬।୧୨ – ଢେଙ୍କାନାଳ ଜିଲାର ବିସ୍ତୀର୍ଣ୍ଣ ନଦୀ ଅବବାହିକା ବିରଳ ପ୍ରଜାତିର କଇଁଛଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି। ଏମାନଙ୍କୁ ସୁରକ୍ଷା ଦେବାକୁ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ବନ ବିଭାଗ ପକ୍ଷରୁ ଏକ ପ୍ରକଳ୍ପ କରାଯିବାକୁ ଯୋଜନା କରାଯାଉଛି। ଏଥିଲାଗି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। କେବଳ ଏତିକି ନୁହେଁ, କଇଁଛ ଅଣ୍ଡା ଦେଉଥିବା ସ୍ଥାନ ଚିହ୍ନଟ କରି ମାଛ ମାରିବା ଉପରେ କଟକଣା ଜାରି କରାଯିବ। ମାଛ ଧରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିଙ୍କୁ କଇଁଛଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବାକୁ ନିଷ୍ପତ୍ତି ହୋଇଛି।
ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ବଣସିଂହ, ଶଙ୍କରପୁର, ରାଧାଦେଈପୁର, ରାଙ୍କିଆ ମଧୁର ଜଳ କଇଁଛଙ୍କ ପ୍ରଜନନସ୍ଥଳୀ ପାଲଟିଛି। ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ଏସବୁ ସ୍ଥାନକୁ ଗଣ ଅଣ୍ଡାଦାନ ପାଇଁ କଇଁଛ ଆସୁଛନ୍ତି। ତେବେ କୋକିଶିଆଳି ସମେତ ଅନ୍ୟ ବନ୍ୟଜନ୍ତୁ ଅଣ୍ଡା ନଷ୍ଟ କରିଦେଉଛନ୍ତି। ତେଣୁ ବିଧିବଦ୍ଧ ଭାବେ ଏକ ପ୍ରକଳ୍ପ କରି କଇଁଛ ଏବଂ ଅଣ୍ଡାକୁ ସୁରକ୍ଷା ଦେବାକୁ ବନ ବିଭାଗ ଚିନ୍ତା କରୁଛି। ଏହି ପରିପ୍ରେକ୍ଷୀରେ ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସଚେତନ କରାଯିବ। ଆବଶ୍ୟକ ସମୟରେ ଅଣ୍ଡାଗୁଡ଼ିକୁ ସୁରକ୍ଷିତ ରଖିବାକୁ ହାଚେରି ହେବ। ନଦୀରେ ପାଣି ଆସିଲେ ଅଣ୍ଡାଗୁଡ଼ିକୁ ସେଠାକୁ ସ୍ଥାନାନ୍ତର କରାଯିବ। ପାଣି ଛାଡିଲେ ପୁଣି ଅଣ୍ଡାଗୁଡିକ ଯଥା ସ୍ଥାନରେ ଆଣି ରଖାଯିବ। ଏହି କାର୍ଯ୍ୟରେ ସହଯୋଗ କରୁଥିବା ଲୋକଙ୍କୁ ଆର୍ଥିକ ସହାୟତା ବ୍ୟବସ୍ଥା ରହିବ। ୩ଦିନ ତଳେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଡା. ପ୍ରକାଶଚାନ୍ଦ ଗୋଗିନେନି କଇଁଛ ଅଣ୍ଡାଦେବା ସ୍ଥାନ ପରିଦର୍ଶନ କରିଛନ୍ତି। ଏହାପରେ ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ଦେବାକୁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ଡିଏଫ୍ଓ ସୂଚନା ଦେଇଛନ୍ତି।