ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନେଇ ଉତ୍କଣ୍ଠା

କଣିହାଁ,୧୦ା୩(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଛି। ଆସନ୍ତା ୧୨ ତାରିଖ ଭୋଟଗ୍ରହଣ ପୂର୍ବରୁ କିପରି ୧୪ ସମିତି ସଭ୍ୟଙ୍କ ସମର୍ଥନ ଯୋଗାଡ଼ କରାଯିବ ସେ ନେଇ ଉଭୟ ଦଳ ପକ୍ଷରୁ ସତର୍କତାର ସହ ଗୋଟି ଚାଳନା କରାଯାଉଛି। ଫଳରେ ବ୍ଲକ ଅଧ୍ୟକ୍ଷ ପଦ କେଉଁ ଦଳ ହାତେଇବ, ତାହାକୁ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି।
କଣିହଁା ବ୍ଲକର ୨୭ ପଞ୍ଚାୟତ ମଧ୍ୟରୁ ୧୯ଟି ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି। ଅନ୍ୟ ୮ ପଞ୍ଚାୟତ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ଅନ୍ତର୍ଭୁକ୍ତ। ତେଣୁ ଏହି ବ୍ଲକ ଅଧ୍ୟକ୍ଷ ପଦବୀ ଅକ୍ତିଆର କରିବା ପାଲଲହଡ଼ା ଓ ତାଳଚେର ବିଧାୟକଙ୍କ ପାଇଁ ନିଶ୍ଚିତ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି। ଏହି କାରଣରୁ ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପରଠାରୁ ୨ ବିଧାୟକଙ୍କ ଶିବିରରେ ତତ୍ପରତା ଦେଖିବାକୁ ମିଳୁଛି। ଏପରି କି ୨୭ ସମିତି ସଭ୍ୟଙ୍କ ମଧ୍ୟରୁ ୧୫ ଜଣ ପାଲଲହଡ଼ା ଓ ତାଳଚେର ବିଧାୟକଙ୍କ ଶିବିର ସହ ଯୋଗାଯୋଗରେ ଥିବା ଆଲୋଚନା ହେଉଛି। ସେମାନଙ୍କ ସମର୍ଥନ ଯେପରି ନିଶ୍ଚିତ ବିଜେଡି ସପକ୍ଷରେ ଯିବ, ସେ ନେଇ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅପରପକ୍ଷରେ ଗତ ୨୦୧୭ ନିର୍ବାଚନରେ ଭାଜପା କଣିହଁା ବ୍ଲକ ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲା। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଦଳକୁ ଏଠାରେ ସେପରି ସଫଳତା ମିଳିନାହିଁ। କଣିହଁା ବ୍ଲକର ୩ ଜିଲା ପରିଷଦ ଆସନରେ ଦଳ ଭଲ ପ୍ରଦର୍ଶନ କରି ନ ଥିବାବେଳେ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସଂଖ୍ୟା ମଧ୍ୟ ବିଜେଡି ତୁଳନାରେ କମ୍‌ ରହିଛି। ତଥାପି ବ୍ଲକ ଅଧ୍ୟକ୍ଷ ପଦରେ ଦଳ କିପରି ବିଜୟୀ ହେବ, ତାହାକୁ ନେଇ ଅଙ୍କକଷା ଚାଲିଛି। ୨୭ ସମିତି ସଭ୍ୟଙ୍କ ମଧ୍ୟରୁ ୧୨ ଜଣ ଭାଜପା ଶିବିର ସହ ଯୋଗାଯୋଗରେ ଥିବାରୁ କ୍ରସ୍‌ ଭୋଟିଂ ହେଲେ ଦଳ ପାଇଁ ଏହା ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ କଣିହାଁ ବ୍ଲକ ବିଜେଡି ସଭାପତି କୈଳାସ ସାହୁ କହିଛନ୍ତି, ରାଜ୍ୟରେ ବିଜେଡିର ବିଜୟ ଧାରା ଜାରି ରହିଛି। ସବୁ ଅଧ୍ୟକ୍ଷ ପଦ ବିଜେଡି ସମର୍ଥିତ ପ୍ରାର୍ଥୀ ଦଖଲ କରିବେ। କଣିହାଁ ବ୍ଲକରେ ମଧ୍ୟ ବିଜେଡିକୁ ନିଶ୍ଚିତ ସଫଳତା ମିଳିବ ବୋଲି ବ୍ଲକ ସଭାପତି ପ୍ରକାଶ କରିଛନ୍ତି।