Categories: ଖେଳ

ଲାଇଟ, ସାଉଣ୍ଡ ଶୋ’ରେ ଉଦ୍‌ଯାପନ

ହାଙ୍ଗଝୋ,୯ା୧୦(ପି.ଟି.): ଚୀନ୍‌ର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସ ଲାଇଟ୍‌ ଓ ସାଉଣ୍ଡ ଶୋର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦ୍‌ଯାପିତ ହୋଇଛି। ୪୫ ଅଂଶଗ୍ରହଣକାରୀ ରାଷ୍ଟ୍ରର ଆଥଲେଟ ଓ ୮୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ‘ବିଗ୍‌ ଲୋଟସ୍‌ ଷ୍ଟାଡିୟମ’ରେ ପ୍ରାୟ ୭୫ ମିନିଟ ଧରି ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଦୁଇ ସପ୍ତାହ ଧରି ବିଭିନ୍ନ କ୍ରୀଡା ଇଭେଣ୍ଟ ଆୟୋଜିତ ହେବା ପରେ ଗେମ୍ସ ଭିଲେଜକୁ ବିଦାୟ ଜଣାଇଛନ୍ତି ସମସ୍ତ ଆଥଲେଟ୍‌ । କ୍ରୀଡା ଓ ଚାଇନାର ସଂସ୍କୃତିକୁ ନେଇ ଉଦ୍‌ଯାପନୀ ଉତ୍ସବର କାର୍ଯ୍ୟକ୍ରମ ପର୍ଯ୍ୟବେସିତ ଥିଲା। ଅଲିମ୍ପିକ୍ସ କାଉନ୍‌ସିଲ୍‌ ଅଫ୍‌ ଏସିଆର କାର୍ଯ୍ୟକାରୀ ମୁଖ୍ୟ ରଣଧୀର ସିଂ ଓ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଉପସ୍ଥିତ ଥିଲେ।

ପାରମ୍ପରିକ ଭାବରେ ୧୯ ତମ ଏସିଆନ୍‌ ଗେମ୍ସ ସମାପ୍ତ ହୋଇଥିବା ନେଇ ରଣଧୀର ଘୋଷଣା କରିଥିଲେ। ଏହା ସହିତ ୨୦ତମ ଏସିଆନ୍‌ ଗେମ୍ସ ଜାପାନର ଆଇଚି ନାଗୋୟାରେ ଅନୁଷ୍ଠିତ ହେବ ବୋଲି ଆନୁଷ୍ଠନିକ ଭାବରେ ଘୋଷଣା କରାଯାଇଥିଲ।

୨୦୧ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୭୧ ବ୍ରୋଞ୍ଜ ସହିତ ଆୟୋଜକ ଚାଇନା ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ ଦ୍ୱିତୀୟ ଓ ଦକ୍ଷିଣ କୋରିଆ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଭାରତ ଚଳିତ ବର୍ଷ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ୧୦୭ ପଦକ ହାସଲ କରି ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଏହା ମଧ୍ୟରେ ୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ପଦକ ରହିଛି।

୧୬ ଦିନର ଏହି ମେଗା ଇଭେଣ୍ଟରେ ୧୩ ବିଶ୍ୱ ରେକର୍ଡ, ୨୬ଟି ଏସିଆନ୍‌ ରେକର୍ଡ ହୋଇଥିବା ବେଳେ ୯୭ ଗେମ୍ସ ରେକର୍ଡ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ହକି ଦଳର ଗୋଲକିପର ପି.ଆର. ଶ୍ରୀଜେସ ଧ୍ୱଜାବାହକ ସାଜିଥିଲେ। ଶେଷରେ ୧୯୫୧ ଏସିଆନ୍‌ ଗେମ୍ସର ମଶାଲ ଆଇଚି ନାଗୋୟା ଗଭର୍ନରଙ୍କୁ ପ୍ରଦାନ କରାଯାଇଥିଲା।

Share