ବାରମ୍ବାର ଜଣାଇ ଶୁଣୁନାହାନ୍ତି ବିଧାୟକ, ପ୍ରଶାସନ

ସେମିଳିଗୁଡା/ସୁନାବେଡା,୧୯ା୯ (ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ): ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀଙ୍କ ନିଜସ୍ବ ବାସଗୃହ ଥିବା ପାକଝୋଲା ପଞ୍ଚାୟତରୁ ମାତ୍ର ଦେଢ଼ କିମି ଦୂର କୁମ୍ବିଗୁଡା ଗ୍ରାମକୁ ଅଦ୍ୟାବଧି ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଫଳରେ କୁମ୍ଭିଗୁଡା ଗ୍ରାମବାସୀ ଖରାଦିନ ଯାହା ଯେମିତି ଚଳିଯାଉଥିଲେ ମଧ୍ୟ ବର୍ଷା ଦିନେ କାଦୁଅ ରାସ୍ତାରେ ଯାତାୟାତ କରି ନାହିଁ ନ ଥିବା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପକ୍କା ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ ସମେତ ବ୍ଲକ ଓ ପଞ୍ଚାୟତ ପ୍ରଶାସନକୁ ବାରମ୍ବାର ଗ୍ରାମବାସୀ ଜଣାଇଥିଲେ ମଧ୍ୟ ଆମ କଥା କେହି ଶୁଣୁନଥିବା ଗ୍ରାମର ସୁରେନ୍ଦ୍ର ପୂଜାରୀ, ବସ୍ତୁ ପୂଜାରୀ, ବନ୍ଧୁରୁ ପୂଜାରୀ,ଇନ୍ଦୁ ସାଉଁନ୍ତା,ବନ ସାଉନ୍ତା, ଲବ ସାଉନ୍ତା, ଅମିତ ସାଉନ୍ତା, ଇନ୍ଦ୍ର ସାଉନ୍ତା, ଅଦିତ ସାଉନ୍ତା ପ୍ରମୁଖ ଅଭିଯୋଗ କରିଛନ୍ତି।
ଏହି ଗ୍ରାମରେ ୨୫ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରୁଛନ୍ତି। ବାରମ୍ବାର ଜଣାଇବା ପରେ ମଧ୍ୟ ବିଧାୟକ ଓ ପ୍ରଶାସନର ଅଣଦେଖାରେ ଏଯାଏ ରହିଛି ଉକ୍ତ ଗ୍ରାମ। ଅସରାଏ ବର୍ଷାରେ ରାସ୍ତା କାଦୁଅ ହୋଇ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ଏନେଇ ପଟାଙ୍ଗି ବିଧାୟକ ପାଢ଼ୀ ଓ ସେମିଳିଗୁଡା ବିଡିଓ ସବ୍ୟସାଚୀ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବାକୁ ଚଳିତ ବର୍ଷ ପଞ୍ଚାୟତ ସମିତି ବୈଠକରେ ପ୍ରସ୍ତାବ ପାରିତ କରି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାକଝୋଲାରୁ କୁମ୍ଭିଗୁଡା ଦେଇ ଭିତରକୋଟା ଗ୍ରାମ ଯାଏ ୫ କିମି ରାସ୍ତା ନିର୍ମାଣ ନିମନ୍ତେ ବ୍ୟୟ ଅଟକଳ କରାଯାଇ ବିଭାଗୀୟ ମଞ୍ଜୁରୀ ଲାଗି ପଠାଯାଇଛି। ଖୁବ୍‌ ଶୀଘ୍ର ଏନେଇ ମଞ୍ଜୁରୀ ମିଳିବ ଓ ରାସ୍ତା ନିର୍ମାଣ କରାଯିବ ବୋଲି ବିଧାୟକ ପାଢ଼ୀ ପ୍ରକାଶ କରିଛନ୍ତି।