ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଆକ୍ରମଣକୁ ନିନ୍ଦା

ଛତ୍ରପୁର,୧୭ା୪(ଡି.ଏନ୍‌.ଏ.): ସମ୍ବଲପୁରଠାରେ ଗୁରୁବାର ହନୁମାନ ଜୟନ୍ତୀ ପାଳନ ବେଳେ ଶୋଭାଯାତ୍ରା ଉପରେ ହିନ୍ଦୁ ସମାଜ ଓ ପ୍ରଶାସନିକ ଅଧିକାରୀମାନଙ୍କୁ କେତେକ ଦୁର୍ବୃତ୍ତ ପଥର, ଖଣ୍ଡା, ଆଦି ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଏହି ଘଟଣାକୁ ଗଞ୍ଜାମ ଜିଲା ହିନ୍ଦୁ ସମାଜ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହି ସଂଗଠନଗୁଡିକୁ ତୁରନ୍ତ ପ୍ରତିବନ୍ଧିତ କରାଯାଇ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏନେଇ ଗଞ୍ଜାମ ଜିଲା ହିନ୍ଦୁ ସମାଜ ପକ୍ଷରୁ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ସଂଗଠନଗୁଡ଼ିକ ଧାର୍ମିକ ଉନ୍ମାଦନା ସୃଷ୍ଟି କରି ଭାରତର ସାମାଜିକ, ଧାର୍ମିକ, ଆର୍ଥିକ, ରାଜନୈତିକ ସ୍ଥିରତାକୁ ଧ୍ବଂସ ବିଧ୍ୱସ୍ତ କରିବାକୁ ଜୋରସୋର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏହି ହିନ୍ଦୁ ବିରୋଧୀ ଷଡ଼ଯନ୍ତ୍ରକାରୀମାନଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରିବାକୁ ଗଞ୍ଜାମ ଜିଲା ହିନ୍ଦୁ ସମାଜ ପକ୍ଷରୁ ନିବେଦନ କରାଯାଇଛି। ଏଥିରେ ମହନ୍ତ ଚିନ୍ମୟାନନ୍ଦ ଦାସ, ପ୍ରଶାନ୍ତ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ।