ୟୁଏନ୍‌ଏସ୍‌ସିରେ ରୁଷିଆ ବିରୋଧରେ ନିନ୍ଦା ପ୍ରସ୍ତାବ: ବିରତ ରହିଲା ଭାରତ

ନୂଆଦିଲ୍ଲୀ,୨।୧୦: ଗଣଭୋଟ ଜରିଆରେ ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳ ରୁଷିଆ ନିଜ ଭୂଖଣ୍ଡରେ ମିଶାଇବା ନିଷ୍ପତ୍ତିକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଅଣାଯାଇଥିବା ନିନ୍ଦା ପ୍ରସ୍ତାବରୁ ଭାରତ ଦୂରେଇ ରହିଛି। ପରିବର୍ତ୍ତିତ ସ୍ଥିତି ପାଇଁ ଭାରତ ପ୍ରସ୍ତାବରୁ ବିରତ ରହିଥିବା କହିଛି। ଆମେରିକା ଏବଂ ଆଲ୍‌ବାନିଆ ପକ୍ଷରୁ ୟୁଏନ୍‌ଏସ୍‌ସିରେ ଅଣାଯାଇଥିବା ନିନ୍ଦା ପ୍ରସ୍ତାବ ବିରୋଧରେ ରୁଷିଆର ଭିଟୋ ପ୍ରୟୋଗ ଯୋଗୁ ଏହା ଗୃହୀତ ହୋଇପାରି ନାହିଁ। ପରିଷଦର ୧୫ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ୧୦ ଜଣ ପ୍ରସ୍ତାବକୁ ସମର୍ଥନ ଜଣାଇଥିବାବେଳେ ଚାଇନା, ବ୍ରାଜିଲ, ଗାବନ ଓ ଅନ୍ୟମାନେ ମତଦାନରୁ ବିରତ ରହିଥିଲେ।

ୟୁକ୍ରେନ୍‌ର ୧୫ ପ୍ରତିଶତ କୁହାଯାଉଥିବା ଉକ୍ତ ୪ ଅଞ୍ଚଳ ଉପରେ ରୁଷିଆ ଶାସନ କରିବ ବୋଲି ପୂର୍ବରୁ ଏହାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଘୋଷଣା କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସବୁଠୁ ବଡ଼ ମିଶ୍ରଣ। ଏହା ବିରୋଧରେ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନ୍‌ଫିଲ୍ଡ ପ୍ରସ୍ତାବ ଆଣି ୟୁକ୍ରେନ୍‌ ସ୍ଥିତିରେ କୌଣସି ପରିବର୍ତ୍ତନକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସ୍ବୀକୃତି ନ ଦେବା ଲାଗି ଅନୁରୋଧ କରିଥିଲେ। ଏଥିସହିତ ଉକ୍ତ ଅଞ୍ଚଳରୁ ରୁଷିଆକୁ ତା’ର ସୈନ୍ୟ ପ୍ରତ୍ୟାହାର କରିନେବା ଲାଗି ବାଧ୍ୟ କରିବାକୁ ଲିଣ୍ଡା କହିଥିଲେ। ତୁ୍‌ରନ୍ତ ହିଂସା ଏବଂ ଯୁଦ୍ଧ ବନ୍ଦ କରିବା ଲାଗି ସମସ୍ତ ଉଦ୍ୟମ ଲାଗି ଆମେ ଅନୁରୋଧ କରୁଛୁ। ମତାନ୍ତର ଓ ବିବାଦ ସମାଧାନର ଏକମାତ୍ର ବାଟ ଆଲୋଚନା। ଶାନ୍ତି ପଥରେ ସମସ୍ତ କୂଟନୈତିକ ମାର୍ଗକୁ ଖୋଲା ରଖିବା ଆବଶ୍ୟକ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ୍‌ କହିଥିଲେ। ବିବାଦ ଆରମ୍ଭରୁ ଭାରତ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିବା ସେ ୟୁଏନ୍‌ଏସ୍‌ସିକୁ କହିଥିଲେ।

Share