Categories: ଜାତୀୟ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

ନୂଆଦିଲ୍ଲୀ,୧୧।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତ ହୋଇ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଣବ ମୁଖାର୍ଜିଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଖାନା ପକ୍ଷରୁ ଏକ ବିବୃତ୍ତି ପ୍ରକାଶ କରାଯାଇ କୁହାଯାଇଛି ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅଗଷ୍ଟ ୧୦ତାରିଖ ଦିନ ୧୨ ଟା ସମୟରେ ଆର୍ମି ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ପରୀକ୍ଷା ସମୟରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାର ଜଣାପଡିଥିଲା। ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି ବୋଲି କୁହାଯାଇଛି। ଅଗଷ୍ଟ ୧୦ରେ ୮୪ ବର୍ଷିୟ ମୁଖାର୍ଜୀ ଟୁଇଟ୍‌ କରି କହିଥିଲେ ଯେ, ଯେ ଅନ୍ୟାନ୍ୟ କାରଣରୁ ଡାକ୍ତରଖାନା ଯାଇଥିଲି। ସେଠାରେ ଟେଷ୍ଟରୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖାର୍ଜୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସେ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଟା ମୁଖାର୍ଜୀଙ୍କ ସହ କଥା ହୋଇ ତାଙ୍କ ପିତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ।

ସୂଚନାଯୋଗ୍ୟ, ଦେଶର ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରପତି ମୁଖାର୍ଜୀ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ।

Share