ପ୍ରାୟ ସବୁ ଦେଶରେ ମେ’ ୧ ତାରିଖରେ ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ। ଏହାକୁ ମେ’ ଦିବସ ବା ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଉନବିଂଶ ଶତାବ୍ଦୀର ଶେଷଭାଗରେ ନିଜ ହକ୍ ପାଇଁ ଶିଳ୍ପପତିମାନଙ୍କ ଆକ୍ରୋଶର ଶିକାର ହୋଇଥିବା ଏବଂ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ସଂଘର୍ଷକୁ ଏହି ଦିବସ ମନେ ପକାଇ ଦେଉଛି। ଏବେ ବି ଶ୍ରମିକମାନଙ୍କ ସଂଘର୍ଷ ଶେଷ ହୋଇପାରିନାହିଁ। ଶୋଷଣ ବିରୋଧରେ ଏବଂ ନିଜ ଅଧିକାର ପାଇଁ ସେମାନଙ୍କ ଲଢ଼େଇ ଜାରି ରଖିଛନ୍ତି। ଦେଶ ନିର୍ମାଣରେ ଶ୍ରମିକଙ୍କ ଅବଦାନ କେତେ ଯେ ସହାୟକ ହୋଇଛି, ତାହା ବୁଝିବା କଷ୍ଟକର ନୁହେଁ। କିନ୍ତୁ ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆଣିବା ସରକାରଗୁଡ଼ିକ ପାଇଁ କଷ୍ଟକର ହୋଇପଡ଼ିଛି। ସମ୍ପ୍ରତି ଭାରତରେ ଶ୍ରମିକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ସେମାନେ କେହି ଖୁସି ନାହାନ୍ତି ବୋଲି ବିଭିନ୍ନ ଶ୍ରମିକ ସଂଗଠନର ନେତାମାନେ ମତପୋଷଣ କରିଛନ୍ତି।
ବିଶ୍ୱକୁ ପ୍ରଭାବିତ କରିଥିଲା ଶିକାଗୋ ଶ୍ରମିକ ଆନ୍ଦୋଳନ
ମେ’ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ ବା ମେ’ ଡେ। କେତେକ ଦେଶରେ ଏହା ଅନ୍ତର୍ଜାତୀୟ ଶ୍ରମିକ ଦିବସ ନାମରେ ମଧ୍ୟ ପାଳିତ ହୁଏ। ଆମେରିକାନ ଫେଡେରେଶନ ଅଫ୍ ଅର୍ଗାନାଇଜ୍ଡ ଟ୍ରେଡ୍ସ ଆଣ୍ଡ୍ ଲେବର ୟୁନିୟନ୍ସର ନିଷ୍ପତ୍ତି କ୍ରମେ ‘୮ ଘଣ୍ଟା କାମ, ୮ ଘଣ୍ଟା ବିଶ୍ରାମ ଏବଂ ୮ ଘଣ୍ଟା ମନୋରଞ୍ଜନ’ ଦାବିରେ ୧୮୮୬ ମେ’ ୧ରେ ଆମେରିକାର ଶିକାଗୋ ସହରର ‘ହେ ମାର୍କେଟ’ ଛକରେ ଶ୍ରମିକ ଆନ୍ଦୋଳନ ହୋଇଥିଲା। ନିଜର ନ୍ୟାୟସଙ୍ଗତ ଦାବି ପାଇଁ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ସମବେତ ହୋଇଥିବା ଅନେକ ହଜାର ଶ୍ରମିକଙ୍କ ଉପରେ ପୋଲିସ ମେ’ ୪ ତାରିଖରେ ବୋମାମାଡ଼କୁ କେନ୍ଦ୍ରକରି ଅତର୍କିତ ଗୁଳିଚାଳନା କରିଥିଲା। ଏଥିରେ ବହୁ ଶ୍ରମିକ ମୃତାହତ ହୋଇଥିଲେ। ତେବେ ସେହି ଶ୍ରମିକମାନଙ୍କ ବଳିଦାନ ବ୍ୟର୍ଥ ଯାଇ ନ ଥିଲା। ଆମେରିକାର ଏହି ଘଟଣା ବିଶ୍ୱର ସମସ୍ତ ସ୍ବାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ପ୍ରଭାବିତ କରିଥିଲା। ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟ ସଂଗ୍ରାମକୁ ଆଗକୁ ବଢ଼ାଇଥିଲେ। ଶିକାଗୋ ଆନ୍ଦୋଳନର ନେତାମାନଙ୍କ ନାମରେ ମିଥ୍ୟା ଅଭିଯୋଗ ଆଗତ କରାଯାଇ ୪ଜଣଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଏହି ଦୁଃଖଦ ଘଟଣାର ସ୍ମାରକୀ ସ୍ବରୂପ ୟୁରୋପର ଇଣ୍ଟରନ୍ୟାଶନାଲ କଂଗ୍ରେସ ଅଫ୍ ସୋସିଆଲିଷ୍ଟ ପାର୍ଟିଜ୍ ପକ୍ଷରୁ ୧୮୮୯ ଜୁଲାଇ ୧୪ରେ ପ୍ୟାରିସରେ ଆୟୋଜିତ ଦ୍ୱିତୀୟ ଅନ୍ତର୍ଜାତୀୟ ମହାଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ, ପ୍ରତିବର୍ଷ ମେ’ ପହିଲାକୁ ବିଶ୍ୱରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯିବ। ଏହି ନିଷ୍ପତ୍ତି ଅନୁଯାୟୀ ୧୮୯୦ରୁ ଏହା ପାଳନ କରାଯାଇ ଆସୁଛି। ସମ୍ପ୍ରତି ୧୬୦ରୁ ଊର୍ଦ୍ଧ୍ୱ ଦେଶରେ ଏହି ଦିବସ ମେ’ ୧ରେ ପାଳନ କରାଯାଉଛି। ହେଲେ ଆମେରିକା ଓ କାନାଡ଼ାରେ ସେପ୍ଟେମ୍ବର ପ୍ରଥମ ସୋମବାରରେ ଏହି ଦିବସ ପାଳନ କରାଯାଉଛି।
ଶିକାଗୋ ଆନ୍ଦୋଳନର ବହୁ ପୂର୍ବରୁ ଅର୍ଥାତ୍ ୧୮୦୬ ମସିହାରେ ଆମେରିକାର ପ୍ରସିଦ୍ଧ ଫିଲାଡେଲଫିଆ ଜୋତା କାରଖାନାର ମେକାନିକ୍ମାନେ ପ୍ରଥମ ମେକାନିକ୍ସ ୟୁନିୟନ୍ ଅଫ୍ ଫିଲାଡେଲ୍ଫିଆ ନାମକ ଏକ ଶ୍ରମିକ ସଂଗଠନ ଗଠନ କରିଥିଲେ। ସେହି ସମୟରେ ଶ୍ରମିକମାନେ ଦୈନିକ ୧୯ ଘଣ୍ଟା କାର୍ଯ୍ୟ କରୁଥିବାରୁ ସେମାନଙ୍କ ଅବସ୍ଥା ଦୁର୍ବିଷହ ହୋଇପଡ଼ିଥିଲା। ତେଣୁ ଦୈନିକ ଶ୍ରମ ନିର୍ଘଣ୍ଟ ୧୯ ଘଣ୍ଟାରୁ ହ୍ରାସ କରାଯାଇ ୧୦ ଘଣ୍ଟାରେ ସୀମିତ କରିବା ପାଇଁ ଦାବି କରି ଫିଲାଡେଲ୍ଫିଆର ନିର୍ମାଣ ଶ୍ରମିକମାନେ ୧୮୨୭ ମସିହାରେ ପ୍ରଥମ କରି ସଂଗଠିତ ଭାବେ ଧର୍ମଘଟ ଆରମ୍ଭ କରିଥିଲେ। ସେହିପରି ୨୧ ଏପ୍ରିଲ ୧୮୫୬ରେ ଅଷ୍ଟ୍ରେଲିଆର ମେଲବୋର୍ନରେ ୮ ଘଣ୍ଟିଆ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ପାଇଁ ଶ୍ରମିକ ଆନ୍ଦୋଳନର ପ୍ରଥମ ପଦଯାତ୍ରା ହୋଇଥିଲା। ଏହି ଦିନ ମେଲବୋର୍ନର ଚାରିପାଖରେ ହେଉଥିବା ବିରାଟ ପଥର ପାଚେରିର ନିର୍ମାଣ ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିଥିଲେ। ସେମାନେ ମେଲବୋର୍ନ ବିଶ୍ୱବିଦ୍ୟାଳୟରୁ ସଂସଦ ଗୃହକୁ ଚାଲି ଚାଲି ଯାଇ ନିଜର ଦାବି ଜଣାଇଥିଲେ। ପୁଞ୍ଜିବାଦୀଙ୍କ ବିରୋଧରେ ସେମାନଙ୍କର ଏହି ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ସଫଳ ହୋଇଥିଲା। ସେତେବେଳେ ଆମେରିକା ସମେତ ଅନେକ ଦେଶରେ ୧୨ରୁ ୧୬ ଘଣ୍ଟା ଯାଏ ଶ୍ରମିକମାନେ କାମ କରୁଥିଲେ।
୧୯୨୩ରୁ ଭାରତରେ ପାଳିତ ହେଉଛି
ଭାରତରେ ପ୍ରଥମ କରି ମେ’ ଦିବସ ୧୯୨୩ରେ ମାଡ୍ରାସ(ଚେନ୍ନାଇ)ରେ ପାଳନ କରାଯାଇଥିଲା। ଏହି ଦିନ ସମଗ୍ର ଭାରତବର୍ଷରେ ଟ୍ରେଡ୍ ୟୁନିୟନଗୁଡ଼ିକ ଶ୍ରମିକମାନଙ୍କର ମୂଲ୍ୟବୋଧକୁ ମନେପକାଇ ଥାଆନ୍ତି। ଭାରତରେ ଶ୍ରମିକ ଦିବସ ପାଳନ ପାଇଁ ଲେବର କିଷାନ୍ ପାର୍ଟି ପ୍ରଥମ ପଦକ୍ଷେପ ନେଇଥିଲା। ପ୍ରଥମ ଟ୍ରେଡ୍ ୟୁନିୟନର ପ୍ରତିଷ୍ଠାତା କମ୍ରେଡ୍ ମଳୟପୁରମ୍ ସିଙ୍ଗାରଭେଲୁ ଚେଟିଆର୍ ଉକ୍ତ ଦିବସ ପାଳନ ପାଇଁ ଦୁଇଟି ବୈଠକ ଆୟୋଜନ କରିଥିଲେ। ଗୋଟିଏ ବୈଠକ ଟ୍ରିପ୍ଲିକେନ୍ ବିଚ୍ରେ ଏବଂ ଅନ୍ୟଟି ମାଡ୍ରାସ୍ ହାଇକୋର୍ଟର ବିପରୀତ ଦିଗରେ ଥିବା ସମୁଦ୍ର ବେଳାଭୂମିରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସିଙ୍ଗାରଭେଲୁ ଏକ ପ୍ରସ୍ତାବ ଗୃହୀତ କରାଇଥିଲେ। ଏହି ପ୍ରସ୍ତାବରେ ଉଲ୍ଲେଖ ଥିଲା ଯେ, ମେ’ ୧ ଶ୍ରମିକ ଦିବସକୁ ସରକାର ଜାତୀୟ ଛୁଟିଦିବସ ଘୋଷଣା କରନ୍ତୁ। ପ୍ରଥମଥର ପାଇଁ ଶ୍ରମିକ ସଙ୍କେତ ସ୍ବରୂପ ଏଠାରେ ଲାଲ୍ ପତାକା ବ୍ୟବହାର କରାଯାଇଥିଲା।
କ୍ରୀତଦାସ ଅବସ୍ଥା ସୃଷ୍ଟି ହେବାକୁ ଯାଉଛି
ବର୍ତ୍ତମାନ ଦେଶରେ ଶ୍ରମିକମାନଙ୍କର ସ୍ଥିତି ଅତି ଦୟନୀୟ ହୋଇପଡ଼ିଛି। ଶ୍ରମିକମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯାଉଥିବା ସରକାର କହୁଥିଲେ ବି ତାହା ବାସ୍ତବ ନୁହେଁ। ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ଦିଆଯାଉ ନ ଥିବାବେଳେ ସେମାନଙ୍କୁ ୧୨ଘଣ୍ଟା କାମ କରିବାକୁ ପଡ଼ୁଛି। ସେମାନଙ୍କୁ କୌଣସି ସାମାଜିକ ସୁରକ୍ଷା ଦିଆଯାଉ ନାହିଁ। ୧୯୪୮ରେ ସର୍ବନିମ୍ନ ମଜୁରି ଆଇନ ତିଆରି ହୋଇଥିବାବେଳେ ୧୯୫୭ରେ ପଞ୍ଚଦଶ ଶ୍ରମିକ ସମ୍ମିଳନୀରେ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ଥିର କରାଯାଇଥିଲା। ମାତ୍ର ଏବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାକୁ ମାନୁନାହାନ୍ତି। ଷୋଡ଼ଶ ଶତାବ୍ଦୀରେ ଶ୍ରମିକମାନେ କ୍ରୀତଦାସ ଭାବେ କାମ କରୁଥିଲେ, ଏବେ ମୋଦି ସରକାର ଶ୍ରମିକମାନଙ୍କ ପାଇଁ ସେହି ଅବସ୍ଥା ସୃଷ୍ଟି କରିବାକୁ ଯାଉଛନ୍ତି। ବାସ୍ତବରେ ଏ ସରକାର ପୁଞ୍ଜିପତିମାନଙ୍କର ସରକାର। ଭାରତବର୍ଷରେ ଥିବା ୫୦କୋଟି ଶ୍ରମିକ ଏକଜୁଟ୍ ହେଲେ ମୋଦି ସରକାରକୁ ଉପଯୁକ୍ତ ଜବାବ ଦେଇପାରିବେ।
– ବିଷ୍ଣୁ ଚରଣ ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି, ସିଆଇଟିୟୁ
ମହିଳା ଶ୍ରମିକଙ୍କ କ୍ଷେତ୍ରରେ ମଜୁରୀ ସମାନତା ନାହିଁ
ପ୍ରତିବର୍ଷ ଶ୍ରମିକ ଦିବସ ପାଳନ କରାଯାଉଛି। ମାତ୍ର ଅଧିକାଂଶ ଶ୍ରମିକ ଏପରି ଗୋଟିଏ ଦିବସ ଅଛି ବା ଏହାର ତାତ୍ପର୍ଯ୍ୟ ସମ୍ପର୍କରେ ଜାଣିନାହାନ୍ତି। ମହିଳା ଶ୍ରମିକମାନେ କର୍ମକ୍ଷେତ୍ରରେ ଡରି ଡରି କାମ କରୁଛନ୍ତି। ସେମାନଙ୍କ କ୍ଷେତ୍ରରେ ମଜୁରିରେ ସମାନତା ନାହିଁ। ଘରୋଇ ଶ୍ରମିକ ବା ପରିଚାରିକାମାନଙ୍କୁ ଶ୍ରମିକ ଭାବରେ ଗଣାଯାଏ ନାହିଁ। ଯେଉଁ ମହିଳାମାନଙ୍କର ଛୋଟ ପିଲା ଅଛନ୍ତି, ସେମାନଙ୍କୁ କାମ ମିଳିବା କଷ୍ଟକର ହୋଇପଡ଼େ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବହୁ ବ୍ୟକ୍ତି ଶ୍ରମିକ ଭାବେ କାମ କରୁଥିଲେ ବି ସରକାରଙ୍କ ନିୟମ ଅନୁଯାୟୀ କାଗଜପତ୍ରରେ ସେମାନଙ୍କୁ ଶ୍ରମିକ ଭାବେ ଗଣାଯାଏ ନାହିଁ। ତେଣୁ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ। ମହିଳା ଶ୍ରମିକଙ୍କୁ ମାଟର୍ନିଟି ଲିଭ୍ ମିଳୁ ନ ଥିବାରୁ ଏ ସମୟରେ ସେମାନଙ୍କୁ ଚାକିରି ହରାଇବାକୁ ପଡିଥାଏ। ତେଣୁ ମହିଳା ଶ୍ରମିକମାନଙ୍କ ସ୍ଥିତି ଅତି ଦୟନୀୟ ରହିଛି।
– ପରୀଲତା ମହାପାତ୍ର, ରାଜ୍ୟ ସମ୍ପାଦିକା, ଏସ୍ଇଡବ୍ଲ୍ୟୁଏ
କାଗଜକଲମରେ ସବୁକିଛି ଠିକ୍ ଚାଲିଛି
ଦେଶରେ ଜନସଂଖ୍ୟାର ୬୦% ଶ୍ରମିକ ଶ୍ରେଣୀର। ସ୍ବାଧୀନତାର ୭୫ ବର୍ଷ ପରେ ବି ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ମିଳୁନାହିିଁ। କାଗଜକଲମରେ ସବୁକିଛି ଠିକ୍ ଚାଲିଛି, ମାତ୍ର ବାସ୍ତବ ସ୍ଥିତି ଅତି ଦୟନୀୟ। ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ମିଳୁନାହିଁ। ବୟସାଧିକ୍ୟ ହେବାପରେ କାମ କରି ନ ପାରିଲେ ସେମାନଙ୍କୁ ଭୋକ ଉପାସରେ ଦିନ କାଟିବାକୁ ପଡୁଛି। ସରକାର ବିକାଶର କଥା କହୁଥିବାବେଳେ ଏହାର ସୂତ୍ରଧର ଶ୍ରମିକମାନଙ୍କୁ ଅଣଦେଖା କରାଯାଉଛି। ସେମାନଙ୍କୁ ଉଚିତ୍ ଶ୍ରମ ମିଳିପାରୁ ନାହିଁ।
– ଶ୍ରୀନିବାସ ରାଓ, ରାଜ୍ୟ ଉପସଭାପତି, ଭାରତୀୟ ମଜଦୁର ସଂଘ
ଶ୍ରମିକଙ୍କୁ ୟୁଜ୍ ଆଣ୍ଡ୍ ଥ୍ରୋ କରାଯାଉଛି
ନବେ ଦଶକ ପୂର୍ବରୁ ଶ୍ରମିକମାନଙ୍କର ଚାକିରି, କର୍ମସଂସ୍ଥାନର ସୁରକ୍ଷା ଥିଲା। ମାତ୍ର ୧୯୯୧ରେ ମନମୋହନ ସିଂ ଅର୍ଥମନ୍ତ୍ରୀ ଥିବା ସମୟରେ ଜଗତୀକରଣ, ଉଦାରୀକରଣ ନୀତି ଲାଗୁ କରାଯାଇ କର୍ପୋରେଟ୍ ହାଉସ୍କୁ, ଶିଳ୍ପପତି, ପୁଞ୍ଜିପତିଙ୍କୁ ଗୁରୁତ୍ୱ ଦିଆଯାଇ ଶ୍ରମିକମାନଙ୍କୁ ଶୋଷଣ କରିବା ଆରମ୍ଭ ହେଲା। ୨୦୧୪ ପରେ ଭାଜପା ସରକାର ଫିକ୍ସ ଟର୍ମ ଏମ୍ପ୍ଲୟମେଣ୍ଟ ଯୋଜନା ଆଣିଛନ୍ତି। ଏହାର ଅର୍ଥ ଶ୍ରମିକମାନଙ୍କୁ ନିଯୁକ୍ତି ଦିଅ ଏବଂ ମାଲିକର ଆବଶ୍ୟକତା ନ ଥିଲେ ତାକୁ କାଢିଦିଅ। ଏଭଳି ୟୁଜ୍ ଆଣ୍ଡ୍ ଥ୍ରୋ ବ୍ୟବସ୍ଥା ଲାଗୁ ହେବା ପରେ ଚାକିରିର ସ୍ଥାୟିତ୍ୱ ନାହିଁ। ମୋଦି ସରକାର ୨୯ଟି ଶ୍ରମ ଆଇନକୁ ଉଚ୍ଛେଦ କରି ୪ଟି ଶ୍ରମକୋଡ୍ କରିଛନ୍ତି। ମାତ୍ର ଏସବୁ ଶ୍ରମିକଙ୍କ ବିରୋଧୀ ନିୟମ।
– ଜୟସେନ ମେହେର, ରାଜ୍ୟ ସମ୍ପାଦକ, ଏଆଇୟୁଟିୟୁସି
କେନ୍ଦ୍ର ସରକାର ଶ୍ରମିକଙ୍କ ସପକ୍ଷରେ ଯାଉନାହାନ୍ତି
ଶ୍ରମିକଙ୍କ ଅବସ୍ଥା ସମ୍ପୂର୍ଣ୍ଣ ବିପନ୍ନ। ଶ୍ରମିକଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ୪୪ଟି ଶ୍ରମ ଆଇନ ଥିଲା, ତାହାକୁ ମୋଦି ସରକାର କରୋନା ସମୟରେ ୪ଟି ଶ୍ରମକୋଡ୍ରେ ପରିଣତ କରିଛନ୍ତି। ଶ୍ରମିକ ସଂଗଠନ ବିନା ଆଲୋଚନାରେ ଏହା ହୋଇଛି। ଫାଶୀବାଦରେ ବିଶ୍ୱାସ ରଖୁଥିବା କେନ୍ଦ୍ର ସରକାର ଶ୍ରମିକମାନଙ୍କ ସପକ୍ଷରେ ଯାଉନାହାନ୍ତି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ପଦାଙ୍କ ଅନୁସରଣ କରିବାରେ ଲାଗିଛନ୍ତି। ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଲାଗୁ ନ କରିବା ସବୁଠାରୁ ଦୁଃଖର ବିଷୟ। ବିନା ଶିଳ୍ପର ଉନ୍ନତିରେ କୌଣସି ଦେଶ ଉନ୍ନତି କରି ପାରିବ ନାହିଁ। ହେଲେ ଶିଳ୍ପ କ୍ଷେତ୍ରରେ ଆଗକୁ ବଢିବାକୁ ହେଲେ ଶ୍ରମିକମାନଙ୍କ ଉନ୍ନତି ନିତାନ୍ତ କାମ୍ୟ।
– କିଶୋର ଜେନା, ରାଷ୍ଟ୍ରୀୟ ସମ୍ପାଦକ, ଆଇଏନ୍ଟିୟୁସି
ଅଣସଂଗଠିତ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ମିଳୁନାହିଁ
ବଡ଼ ବଡ଼ ଶିଳ୍ପସଂସ୍ଥାରେ କାମ କରୁଥିବା ଏବଂ ସଂଗଠିତ ଶ୍ରମିକମାନେ ଯେନତେନ ଭାବେ ଚଳି ଯାଉଛନ୍ତି। ମାତ୍ର ଅଣସଂଗଠିତ ଭାବେ ଥିବା ଶ୍ରମିକମାନଙ୍କ ଅବସ୍ଥା ଅତି ଖରାପ। ସେମାନଙ୍କୁ ସର୍ବନିମ୍ନ ମଜୁରି ମିଳୁ ନ ଥିବାବେଳେ ଦିନକୁ ୧୨ଘଣ୍ଟା କାମ କରିବାକୁ ପଡୁଛି। ସେମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ବିଶେଷକରି ସର୍ବନିମ୍ନ ମଜୁରି ବୃଦ୍ଧି ନ ହେଲେ ଚଳିବା କଷ୍ଟକର ହୋଇ ପଡୁଛି। ଶ୍ରମିକଙ୍କ ସୁରକ୍ଷା, ଉନ୍ନତି ପାଇଁ ସରକାର ଯୋଜନା କରୁଥିବା କହୁଥିଲେ ବି ବାସ୍ତବରେ କୌଣସି ସରକାର ଏନେଇ ଚିନ୍ତା କରୁନାହାନ୍ତି।
– କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ ସଭାପତି, ହିନ୍ଦ୍ ମଜଦୁର ସଭା
ଶ୍ରମିକଙ୍କ ଉପରେ ଅତ୍ୟାଚାର ବଢ଼ିଛି
ଚଳିତବର୍ଷ ଭାରତ ୧୦୦ତମ ଶ୍ରମିକ ଦିବସ ପାଳନ କରିବ। ଏହା ମଧ୍ୟରେ ଶ୍ରମିକମାନଙ୍କ ଉପରେ ଅତ୍ୟାଚାର ବା ଆକ୍ରମଣ ବଢ଼ିଛି। ସେମାନଙ୍କ ପାଇଁ ଯେଉଁ ଆଇନ କରାଯାଇଥିଲା ତାହାକୁ ଭାଙ୍ଗି କର୍ପୋରେଟମାନଙ୍କ ସ୍ବାର୍ଥରେ ଲଗାଇବା ପାଇଁ ୪ଟି ଶ୍ରମ ବା ଲେବର କୋଡ୍ ଅଣାଯାଇଛି। ଯାହାଫଳରେ ଶ୍ରମିକମାନେ ସଂଗଠନ କରିବା, ଅଧିକାର ପାଇବା ପାଇଁ ରାଲି ବା ଆନ୍ଦୋଳନ କରିବା ଅଧିକାର ହରାଇବେ। ଏହା ପୁଣି ଥରେ ଦାସତ୍ୱ ପ୍ରଥା ଆଡ଼କୁ ନେଇଯାଉଛି। ଲକ୍ଡାଉନ୍ ସମୟରେ ଶ୍ରମିକମାନଙ୍କର ବହୁ ପରିମାଣରେ ଛଟେଇ ହୋଇଥିଲା। ଏବେ ସୁଦ୍ଧା ପ୍ରାୟ ୧୦ କୋଟି ଶ୍ରମିକ ଛଟେଇ ହୋଇ ରହିଥିଲେ ବି ସେମାନଙ୍କ ପାଇଁ ସରକାର କୌଣସି ବ୍ୟବସ୍ଥା କରୁନାହାନ୍ତି। ଠିକା ଶ୍ରମିକମାନେ ସାମାଜିକ ସୁରକ୍ଷା ପାଇଁ ମାଲିକଙ୍କ ପାଖରେ ଦାବି କଲେ ଚାକିରି ଚାଲିଯାଉଛି। ଦରଦାମ୍ ବଢୁଥିବାବେଳେ ସର୍ବନିମ୍ନ ମଜୁରି ବଢୁନାହିଁ। ଓଡ଼ିଶାରେ ସର୍ବନିମ୍ନ ମଜୁରୀ ଅତିକମ୍ରେ ୫ଶହ ଏବଂ କୁଶଳୀ ଶ୍ରମିକଙ୍କ ୭ଶହଟଙ୍କା ହେବା କଥା। ଏବେ ତାହା ୩୪୫ଟଙ୍କାରେ ସୀମିତ ରହିଛି।
– ମହେନ୍ଦ୍ର ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ, ଏଆଇସିସିଟିୟୁ
ଦେଶରେ ଶ୍ରମିକ ଅସୁରକ୍ଷିତ
ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ଶ୍ରମିକମାନେ ଅସୁରକ୍ଷିତ। କେନ୍ଦ୍ର ସରକାର ୪୪ଟି ଶ୍ରମ ଆଇନକୁ ସଂଶୋଧନ କରି ୪ଟି କୋଡ୍ରେ ପରିଣତ କରିବା ଓ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ ନିଷ୍ପତ୍ତି ଶ୍ରମିକମାନଙ୍କ ମଧ୍ୟରେ ଆନ୍ଦୋଳନର ବହ୍ନି ସୃଷ୍ଟି କରିଛି। ରାଜ୍ୟ ସରକାର ଶ୍ରମିକ ସଂଗଠନ ସହିତ ଆଲୋଚନା ଓ ବିତର୍କ ନ କରି କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ନିଷ୍ପତ୍ତିକୁ ସମର୍ଥନ କରିବା ଏକ ଶ୍ରମିକ ବିରୋଧୀ କାର୍ଯ୍ୟ। ଏହି ନିଷ୍ପତ୍ତିକୁ ପରିବର୍ତ୍ତନ ନ କଲେ ବ୍ୟାପକ ଆନ୍ଦୋଳନ କରାଯିବ।
– ବିଦ୍ୟାଧର ମହାନ୍ତି, ରାଜ୍ୟ ଅଧ୍ୟକ୍ଷ, ଅଣସଂଗଠିତ ଶ୍ରମିକ କଂଗ୍ରେସ