ସିଡ୍ନୀ, ୧୮ା୧୧ (ପି.ଟି.): ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକାଙ୍କୁ ଗୁରୁବାର ଜାମିନ ମଞ୍ଜୁର ହୋଇଛି। କିନ୍ତୁ ତାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର ପାଇଁ ବାରଣ କରାଯାଇଛି। ଶ୍ରୀଲଙ୍କା କ୍ରିକେଟ ଦଳ ଅଷ୍ଟ୍ରେଲିଆକୁ ଟି୨୦ ବିଶ୍ୱକପ୍ ଖେଳିବାକୁ ଆସିଥିବା ବେଳେ ନଭେମ୍ବର ୨ରେ ଜଣେ ମହିଳାଙ୍କୁ ସେ ଯୌନ ନିଯର୍ର୍ାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ନଭେମ୍ବର ୬ ବିଳମ୍ବିତ ରାତିରେ ଗିରଫ ପରେ ଜାମିନ ନ ମିଳିବାରୁ ସେ ନଭେମ୍ବର ୭ରୁ ପାର୍କଲେଆ କରେକଶନାଲ ସେଣ୍ଟରରେ ଅଟକ ଅଛନ୍ତି। ଗୁରୁବାର ସେଠାରୁ ଭିଡିଓ ଲିଙ୍କ୍ ଜରିଆରେ ସେ ସିଡ୍ନୀସ୍ଥିତ ଡାଉନିଂ ସେଣ୍ଟର କୋର୍ଟରେ ହାଜର ହୋଇଥିଲେ। ଅଭିଯୋଗକୁ ନେଇ ତଦନ୍ତ ଚାଲିଛି। କୋର୍ଟରେ ପୋଲିସ ପ୍ରସିକ୍ୟୁଟର କେରି-ଅନ୍ ମ୍ୟାକ୍କିନନ ଜାମିନକୁ ବିରୋଧ କରିଥିଲେ। ଜାମିନ ମିଳିଲେ ଅଭିଯୋଗକାରିଣୀଙ୍କ ସୁରକ୍ଷା ପ୍ରତି ସେ ବିପଦ ସୃଷ୍ଟି କରିପାରନ୍ତି। ସୋସିଆଲ ମିଡିଆରେ ବାରଣ ବ୍ୟତୀତ କୋର୍ଟ ଗୁଣତିଲକାଙ୍କୁ ୧,୫୦,୦୦୦ ଅଷ୍ଟ୍ରେଲୀୟ ଡଲାର (୧,୦୦,୬୨୦ ଆମେରିକୀୟ ଡଲାର) ମୁଚାଲିକାରେ ସର୍ତ୍ତମୂଳକ ଜାମିନ ମିଳିଛି। ତାଙ୍କୁ ପାସ୍ପୋର୍ଟ ଦାଖଲ କରିବାକୁ ହେବ। ଦୈନିକ ଦୁଇଥର ପୋଲିସ ନିକଟରେ ହାଜର ହେବାକୁ ପଡ଼ିବ। ରାତି ୯ଟାରୁ ୬ଟା ପର୍ଯ୍ୟନ୍ତ ତାଙ୍କୁ ଘରେ ରହିବାକୁ ପଡ଼ିବ। ଅଭିଯୋଗକାରିଣୀଙ୍କ ସହ ସେ ଯୋଗାଯୋଗ କରିପାରିବେ ନାହିଁ।