ଜାମିନ ପାଇଁ ନିଆରା ସର୍ତ୍ତ: ଦାନ ଦିଅ, ଗଛ ଲଗାଅ

ଭୋପାଳ, ୩୧।୮: ଅପରାଧିଙ୍କୁ ଜାମିନ ଦେବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର ଖଣ୍ଡପୀଠର ୨ ଜଣ ବିଚାରପତି ଶୀଲ ନାଗୁ ଏବଂ ଆନନ୍ଦ ପାଠକ ଗତ କିଛି ମାସ ଧରି ନିଆରା ସର୍ତ୍ତ ଜାରି ରଖିଛନ୍ତି। ଏହା ଦ୍ୱାରା ଇତିମଧ୍ୟରେ ଓ୍ବେଲଫେୟାର ଫଣ୍ଡ୍‌ରେ ୨୫ ଲକ୍ଷରୁ ଅଧିକ ଟଙ୍କା ଜମା ହୋଇ ପାରିଛି। ସେହିପରି ୩୦ ହଜାରରୁ ଅଧିକ ବୃକ୍ଷ ଚାରା ମଧ୍ୟ ରୋପଣ ହୋଇପାରିଛି। ଦୁଇ ବିଚାରପତି ଅପରାଧୀଙ୍କୁ ଜାମିନ ଦେବା ପାଇଁ ଓ୍ବେଲଫେୟାର ଫଣ୍ଡ୍‌ରେ ଟଙ୍କା ଜମା କରିବାକୁ କହୁଛନ୍ତି। ଯଦି ଅପରାଧିଙ୍କ ଆର୍ଥିକ ସ୍ଥିତି ଖରାପ ରହିଛି ତେବେ ତାଙ୍କୁ ବୃକ୍ଷ ଚାରା ରୋପଣ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଏହାର ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ମଧ୍ୟ କୁହାଯାଉଛି। ଦୁଇ ବିଚାରପତିଙ୍କ ଏଭଳି ନିଆରା ସର୍ତ୍ତ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ବହୁ ୟୁଜର ବେଶ୍‌ ପସନ୍ଦ କରିବା ସହିତ ବିଚାରପତିଙ୍କ ଦ୍ୱାରା କରାଯାଉଥିବା ସଚେତନା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।

Share