ଲୋକପ୍ରିୟ ମୃଦୁ ପାନୀୟରେ କଣ୍ଡୋମ୍, କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ପାରଳାଖେମୁଣ୍ଡି, ୨୯।୫(ଗିରିଧାରୀ ପରିଛା): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିଥିବା ବେଳେ ଗଜପତି ଜିଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି। ସାଧାରଣ ଜନତା ହୁଅନ୍ତୁ କିମ୍ବା ଗନ୍ତବ୍ୟ ପଥେ ଯାଉଥିବା ଯାତ୍ରୀ ସମସ୍ତେ ତୃଷା ମେଣ୍ଟାଇବା ପାଇଁ ଥଣ୍ଡା ପାନୀୟ ପିଇବାକୁ ବାଧ୍ୟ ହେଉଛନ୍ତି।

ଗଜପତି ଜିଲାର ମୋହନା ବଜାର ଓ ସାହି ଗୁଡ଼ିକରେ ବିଭିନ୍ନ କମ୍ପାନୀର ନାମୀ ଦାମୀ ବ୍ରାଣ୍ଡ୍ ର ଥଣ୍ଡା ପାନୀୟ ବିକ୍ରୀ ହେଉଛି। ବିଭିନ୍ନ ସମୟରେ ଥଣ୍ଡା ପାନୀୟ ବୋତଲ ଭିତରୁ କାଠିକୁଟା, ପୋକ ମାଛି ପଡ଼ିଥିବାର ନଜିର ରହିଛି। କିନ୍ତୁ ଭାରତର ଜଣାଶୁଣା ଟାଟା କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ୧୦ ଟଙ୍କିଆ ମୃଦୁ ପାନୀୟ ଟାଟା ଗ୍ଳୋକୋ ବୋତଲ ମଧ୍ୟରୁ କଣ୍ଡମ୍ ବାହାରିବା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଛି।

ସ୍ଥାନୀୟ ଖ୍ରୀଷ୍ଟିୟାନ ସାହିର ଏକ ଦୋକାନରୁ ଦୁଇ ତିନି ଜଣ ଲୋକେ ଟାଟା ଗ୍ଲୋକୋ କିଣି ପିଇବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସଙ୍ଗେ ସଙ୍ଗେ ଦୋକାନୀ ମୋହନାର ଜନୈକ ଡ଼ିଲର୍ ଙ୍କୁ ଡାକି ସମସ୍ତ ବୋତଲ ଫେରାଇ ଦେଇଥିବା କହିଛନ୍ତି। ତୁରନ୍ତ ଏଭଳି କମ୍ପାନୀକୁ ସିଜ୍ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହି ବାସିନ୍ଦା ଓ ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି।

Share