ଓ୍ବାଶିଂଟନ,୨ା୧: ନୂଆବର୍ଷରେ ତାଇଓ୍ବାନ ଏବଂ ତିବ୍ଦତକୁ ନେଇ ଆମେରିକା-ଚାଇନା ମଧ୍ୟରେ ମୁହାଁମୁହିଁ ହୋଇପାରେ। ନୂତନବର୍ଷର ଠିକ୍ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତିବ୍ଦତ ପ୍ରସଙ୍ଗ ପାଇଁ ଭାରତୀୟ ମୂଳ କୂଟନୀତିଜ୍ଞ ଆଜ୍ରା ଜିଆଙ୍କୁ ତାଙ୍କର ବିଶେଷ ସଂଯୋଜକ ଭାବରେ ନିଯୁକ୍ତ କରି ଚାଇନାକୁ ଉତ୍ତେଜିତ କରିଛନ୍ତି। ଆମେରିକାର ଏହି ପଦକ୍ଷେପ ଦ୍ୱାରା ଚାଇନା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଛି। ପ୍ରଥମତଃ ତିବ୍ଦତରେ ଆମେରିକାର ହସ୍ତକ୍ଷେପ ଏବଂ ଦ୍ୱିତୀୟରେ ଭାରତୀୟ ମୂଳ କୂଟନୀତିଜ୍ଞଙ୍କ ନିଯୁକ୍ତିକୁ ନେଇ ଚାଇନା ସମ୍ପୂର୍ଣ୍ଣ ଚକିତ ହୋଇଯାଇଛି। ବାଇଡେନ ପ୍ରଶାସନର ଏହି ପଦକ୍ଷେପ ନୂଆବର୍ଷରେ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ବଢ଼ିବାକୁ ଯାଉଛି ବୋଲି ଭୟକୁ ଆହୁରି ଦୃଢ଼ କରିଦେଇଛି।