ହିଞ୍ଜିଳିକାଟୁ,୨୯।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କଣ୍ଟେଇକୋଳି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। କାତିମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ କୃଷ୍ଣ ସାହୁ। କୃଷ୍ଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣାରେ ଅନ୍ୟ ୨ଜଣ ମଧ୍ୟ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗଞ୍ଜାମ ଜିଲା ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମରେ କୁମାରପୂର୍ଣ୍ଣିମା ରାତିରେ ନେଳିଆ ବନ୍ଧ ନିକଟ ମଣ୍ଡପରେ ତାସ୍ ଖେଳ ଚାଲିଥିଲା । ସେତିକିବେଳେ ମଣ୍ଡପ ନିକଟରେ ଗ୍ରାମର କାହ୍ନା ସାହୁ, ରାକେଶ ସାହୁ, କୃଷ୍ଣ ସାହୁ ଓ ସ୍ବରାଜ ବେହେରା ବସିଥିଲେ। ଏହି ସମୟରେ ଗ୍ରାମର ସନ୍ତୋଷ କୁମାର ସାହୁ ଓ ତାଙ୍କର ସାନ ଭାଇ ଶମ୍ଭୁ ସାହୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକ୍ରମେ ଉଗ୍ରରୂପ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସେତିକିବେଳେ ଏକ କାତି ମାଡ଼ରେ କୃଷ୍ଣ ଗୁରୁତର ଆହତ ହୋଇଥିଲେ। କୃଷ୍ଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣା ନେଇ କାହ୍ନା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା(ନଂ.୮୨୨/୨୩) ରୁଜୁ ହୋଇଛି। ପୋଲିସ ଦୁଇ ଭାଇ ସନ୍ତୋଷ ଏବଂ ଶମ୍ଭୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।