Categories: ଜାତୀୟ

ବିଚାରପତିଙ୍କ ନିଯୁକ୍ତି ନେଇ ପୁଣି ମୁହାଁମୁହିଁ ସ୍ଥିତି: କେନ୍ଦ୍ର ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମ୍‌ କୋର୍ଟ…

ନୂଆଦିଲ୍ଲୀ,୨୬।୯ : ସୁପ୍ରିମକୋର୍ଟ ଆଜି ମଙ୍ଗଳବାର ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ ବିଚାରପତି ପଦ ପାଇଁ ହାଇକୋର୍ଟଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୭୦ ଜଣଙ୍କ ନାମ ଉପରେ କାହିଁକି ନିଷ୍ପତ୍ତି ଗ୍ରହଣ ହୋଇନାହିଁ ବୋଲି କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ଏହାକୁ କାହିଁକି ସୁପ୍ରିମକୋର୍ଟ କଲେଜିୟମକୁ ପଠାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଏକ ବେଞ୍ଚ କହିଛନ୍ତି ଗତ ୧୦ ମାସ ଧରି ଏସବୁ ନାମ ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଜଷ୍ଟିସ କୌଲ ଏହା ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟଙ୍କ ଶେଷ ଆଦେଶ ପରେ ଗତ ସାତ ମାସ ମଧ୍ୟରେ ବିଚାରପତି ନିଯୁକ୍ତି ମାମଲାରେ କିଛି ଅଗ୍ରଗତି ଘଟିନାହିଁ।

ଜଷ୍ଟିସ କୌଲ ବିବ୍ରତ ହୋଇ କହିଛନ୍ତି ଏହି ପ୍ରସଙ୍ଗରେ ତାଙ୍କର ଅନେକ କଥା ଅଛି, କିନ୍ତୁ ସେ ନିଜକୁ ସଂଯମ କରୁଛନ୍ତି। ସେ କହିଛନ୍ତି, ’ମୁଁ ଆଜି ଚୁପ ଅଛି କାରଣ ସରକାରଙ୍କ ଓକିଲ ଏହାର ଉତ୍ତର ଦେବାକୁ ଏକ ସପ୍ତାହ ସମୟ ମାଗିଛନ୍ତି। କିନ୍ତୁ ପରବର୍ତ୍ତୀ ତାରିଖରେ ମୁଁ ଚୁପ ରହିବି ନାହିଁ। ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ବେଞ୍ଚ ପ୍ରତି ୧୦ ଦିନରେ ନିଯୁକ୍ତିର ଶୁଣାଣି କରିବେ।

ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟଗୁଡିକ ଉଚ୍ଚ ନ୍ୟାୟପାଳିକାରେ ବିଚାରପତିଙ୍କ ଶୀଘ୍ର ନିଯୁକ୍ତି ସହ ଜଡିତ ଏକ ମାମଲାରେ ଆସିଛି। ବିଚାରପତିଙ୍କ ନିଯୁକ୍ତି ସମ୍ପର୍କିତ ପିଟିଶନରେ ମଧ୍ୟ ଅଭିଯୋଗ ହୋଇଛି ସରକାର କଲେଜିୟମ ଦ୍ୱାରା ମଞ୍ଜୁର ହୋଇଥିବା ନାମଗୁଡ଼ିକୁ ଅଲଗା କରି ନିଯୁକ୍ତି ପାଇଁ ହେବାକୁ ଥିବା ବିଚାରପତିଙ୍କ ନାମ ଚୟନ କରୁଛନ୍ତି।

Share