ସମରାଭ୍ୟାସ ଶେଷରେ ଛକାପଞ୍ଝା

ବେଜିଂ/ତାଇପେଇ, ୮ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତରେ ପ୍ରତିକ୍ରିୟାଶୀଳ ହୋଇ ଚାଇନା ୪ ଦିନ ହେଲା ତାଇଓ୍ବାନ ପ୍ରଣାଳୀରେ ଚଳାଇଥିବା ବଡ଼ଧରଣର ସମରାଭ୍ୟାସ ରବିବାର ଶେଷ ହୋଇଛି। ତାଇଓ୍ବାନ ସେନା ମଧ୍ୟ ଚାଇନା ଯୁଦ୍ଧ ଜାହାଜ ଏବଂ ଯୁଦ୍ଧପୋତକୁ ନିଜ ସୀମାରୁ ହଟାଇବା ପାଇଁ ଦକ୍ଷତା ପ୍ରଦର୍ଶନ କରିଛି। ଫଳରେ ଚାଇନା ଓ ତାଇଓ୍ବାନ ମଧ୍ୟରେ କିଛି ଦିନ ହେଲା ‘ମୂଷା-ବିଲେଇ’ ପରି ଛକାପଞ୍ଝା ଦେଖିବାକୁ ମିଳିଛି। ଶେଷଦିନରେ ତାଇଓ୍ବାନ ପ୍ରଣାଳୀରେ ବେଜିଂ ଓ ତାଇପେଇର ପ୍ରାୟ ୨୦ ଯୁଦ୍ଧପୋତ ପରସ୍ପରର ନିକଟତର ହୋଇଥିଲେ। ଏପରି କରି ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରୁଛି ବୋଲି ଆମେରିକା କହିଛି।

୨୫ ବର୍ଷରେ ଆମେରିକାର କୌଣସି କ୍ଷମତାଶାଳୀ ନେତା ତାଇଓ୍ବାନ ଗସ୍ତ କରିବାରେ ନାନ୍ସି ପେଲୋସି ପ୍ରଥମ। ଗସ୍ତ ପୂର୍ବରୁ ଚାଇନା ବାରମ୍ବାର ଚେତାବନୀ ଦେବା ସହ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେଇଥିଲା। ଏହା ସତ୍ତ୍ୱେ ପେଲୋସି ଗତ ୨ ତାରିଖରେ ତାଇଓ୍ବାନରେ ପହଞ୍ଚିବା ସହ ଦିନିକିଆ ଗସ୍ତ ସମ୍ପୂର୍ଣ୍ଣ କରିଥିଲେ। ଏହାକୁ ନେଇ ଉତ୍ତେଜିତ ହୋଇପଡ଼ିଥିବା ଚାଇନା ତାଇଓ୍ବାନ ପ୍ରଣାଳୀ ଏବଂ ବାୟୁସୀମାରେ ଗତ ଗୁରୁବାରଠାରୁ ସମରାଭ୍ୟାସ ଚଳାଇଥିଲା। ଏପରି କରି ଚାଇନା ଯୁଦ୍ଧକୁ ଉସୁକାଉଥିବା ତାଇପେଇ ପକ୍ଷରୁ କୁହାଯାଇଛି। ଚାଇନାର ଅନୂ୍ୟନ ୬୬ ଯୁଦ୍ଧବିମାନ ଏବଂ ୧୪ ଯୁଦ୍ଧପୋତ ତାଇଓ୍ବାନ ଷ୍ଟ୍ରେଟ୍‌କୁ ପାର କରିଥିବା ଚିହ୍ନଟ ହୋଇଛି।

ତାଇଓ୍ବାନର ଚାରିପାଖରେ ଥିବା ୬ଟି ସ୍ଥାନରେ ବେଜିଂ ଲାଇଭ୍‌ ଫାୟାର ସମରାଭ୍ୟାସ କରିଛି। ଚାଇନାର କାର୍ଯ୍ୟକଳାପ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସହ ତାଇଓ୍ବାନ ପ୍ରଣାଳୀରେ ଅସ୍ଥିରତା ସୃଷ୍ଟି କରୁଥିବା ହ୍ବାଇଟ୍‌ ହାଉସର ଜଣେ ମୁଖପାତ୍ର କହିଛନ୍ତି। ଏଥିସହ ବେଜିଂ ଏପରି କାର୍ଯ୍ୟକଳାପରୁ ବିରତ ରହିବାକୁ ଆମେରିକା ସମେତ ଅଷ୍ଟ୍ରେଲିଆ, ଜାପାନ ନିବେଦନ କରିଛନ୍ତି। ଏ ନେଇ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌, ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀ ପେନି ଓଙ୍ଗ୍‌, ଜାପାନ ପ୍ରତିପକ୍ଷ ହାୟାଶି ୟୋଶିମାତା ଏକ ମିଳିତ ବିବୃତି ଜାରି କରିଛନ୍ତି।

Share