ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: ଫାଣ୍ଡି ଆଗରେ ଦମ୍ପତିଙ୍କୁ ପିଟିଲେ

ନୀଳଗିରି, ୨୦।୧୧(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଈଶ୍ୱରପୁର ପଞ୍ଚାୟତ ବାହାବଳପୁର ଗାଁରେ ବାଡଘେରାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣର ଅଭିଯୋଗ ମଧ୍ୟ ହୋଇଛି। ଜଣେ ମହିଳାଙ୍କୁ ହାଣି ଦମ୍ପତି ଫାଣ୍ଡିକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ୧୦ରୁ ୧୫ ଜଣ ଦୁର୍ବୃତ୍ତ ଫାଣ୍ଡି ଆଗରେ ସେମାନଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।
ବାହାବଳପୁର ଗାଁର ହରେକୃଷ୍ଣ ଧାଉଁଡ଼ିଆଙ୍କ ପରିବାର ସହିତ ତାଙ୍କର ପଡୋଶୀଙ୍କର ପୂର୍ବରୁ ବିବାଦ ଥିଲା। ଉକ୍ତ ଗ୍ରାମର ଆକାଶ ଧଳ ତାଙ୍କର ଦକ୍ଷିଣପାର୍ଶ୍ୱ ବାଡ଼ ଘେରୁଥିବା ବେଳେ ପଡୋଶୀ ହରେକୃଷ୍ଣ ଆସି ପାଟିତୁଣ୍ଡ କରିବା ପରେ ବଚସା ଆରମ୍ଭ ହୋଇଥିଲା । ପରେ ହରେକୃଷ୍ଣ ଉତ୍‌କ୍ଷିପ୍ତ ହୋଇ ଏକ ଭୁଜାଲିରେ ଆକାଶଙ୍କ ମା’ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଅପରପକ୍ଷରେ ହରେକୃଷ୍ଣ ଏବଂ ତାଙ୍କ ସ୍ତ୍ରୀ ଈଶ୍ୱରପୁର ଫାଣ୍ଡିରେ ଅଭିଯୋଗ କରି ବାହାରୁଥିବା ବେଳେ ଫାଣ୍ଡି ସମ୍ମୁଖରେ ୧୦ରୁ ୧୫ଜଣ ତାଙ୍କୁ ଠେଙ୍ଗା ଏବଂ ଇଟାରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫାଣ୍ଡି ଅଧିକାରୀ ଦମ୍ପତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।