ରାଜନୈତିକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ

କାଏମା,୨ା୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ଉତ୍ତରପ୍ରତାପ ପଞ୍ଚାୟତ ଜଳେଶ୍ବରପୁର ଗ୍ରାମରେ ରାଜନୈତିକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ୩ଦିନ ତଳେ ରାତିରେ କର୍ତ୍ତିକେଶ୍ବର ମେଢ଼ ଭସାଣି ଗ୍ରାମ ପରିକ୍ରମା କରୁଥିଲା। ଏହି ସମୟରେ ଜଳେଶ୍ବରପୁର ଗ୍ରାମ ସପ୍ତାସାହିର ବାବୁଲି ସାହୁ ଓ ୬ ନମ୍ବର ୱାର୍ଡ ସଭ୍ୟାଙ୍କ ସ୍ବାମୀ ପ୍ରହଲ୍ଲାଦ ସ୍ବାଇଁଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ଏନେଇ ବାବୁଲିଙ୍କ ସ୍ତ୍ରୀ ହରପ୍ରିୟା ସାହୁ ଥାନାରେ ଅଭିଯୋଗ କରିଥିଲେ। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ରାତି ପ୍ରାୟ ୯ଟାରେ ପ୍ରହଲ୍ଲାଦ ହରପ୍ରିୟାଙ୍କ ସମେତ ତାଙ୍କ ଶଶୁର ଓ ଦିଅରଙ୍କୁ ଆକ୍ରମଣ କରିଛନ୍ତି। ସେହିପରି ପ୍ରହଲ୍ଲାଦଙ୍କ ପକ୍ଷରୁ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ, ବାବୁଲି ପ୍ରଚୁର ମଦ୍ୟପାନ କରିଥିବା ଅବସ୍ଥାରେ ଆସି ୱାର୍ଡ ସଭ୍ୟାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଧକ୍କା ମାରିଥିଲେ। ଏନେଇ ଥାନାରେ ନଂ.୭୫୮/୨୩ ଏବଂ ୭୫୯/୨୩ରେ ୨ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।