Advertisement

ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ, ୪ ଆହତ

ବଳଙ୍ଗା,୧୫ା୧(କେଦାରେଶ୍ୱର ନନ୍ଦ): ପୁରୀ ଜିଲା ବଳଙ୍ଗା ଥାନା ଅଧୀନ ଗଣ୍ଡସାହି ଗ୍ରାମରେ ପୂର୍ବବିବାଦକୁ କେନ୍ଦ୍ରକରି ସୋମବାର ପୂର୍ବାହ୍ନରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୪ଜଣ ଆହତ ହୋଇଛନ୍ତି। ଏ ନେଇ ଥାନାରେ ଉଭୟ ପକ୍ଷରୁ ଏତଲା କ୍ରମେ ପୋଲିସ ଦୁଇଟି ପୃଥକ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ପ୍ରକାଶ ଯେ, ଗଣ୍ଡସାହି ଗ୍ରାମର ଫକିର ରାଉତ (୬୫)ଙ୍କ ଅଭିଯୋଗ ଅନୁଯାୟୀ, ସେ ଓ ତାଙ୍କ ପୁଅ ଘରେ ନ ଥିବାବେଳେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ପରିବାର ଲୋକେ ବିଭିନ୍ନ ମାରଣାସ୍ତ୍ର ଧରି ଦୁଆର ସମ୍ମୁଖକୁ ଆସି ଗାଳିଗୁଲଜ କରିଥିଲେ। ଫକିରଙ୍କ ବୋଉ ଲକ୍ଷ୍ମୀପ୍ରିୟା ରାଉତ ଆସି ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡି ନେଇ ମାଡ଼ ମାରିଥିଲେ। ଏହି ସମୟରେ ପୁଅ ଗୋବିନ୍ଦ ଆସି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସେମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପାଟି ଶୁଣି ପଡ଼ୋଶୀମାନେ ଆସିଯିବାରୁ ଅଭିଯୁକ୍ତମାନେ ଚାଲିଯାଇଥିଲେ। ପରେ ଗୋବିନ୍ଦଙ୍କୁ ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଫକିରଙ୍କ ପରିବାର ଲୋକେ ଅଭୟ ସ୍ବାଇଁଙ୍କ ସ୍ତ୍ରୀ କବିତା ସ୍ବାଇଁ ଓ ଖୁଡ଼ିଶାଶୁ ମୀତା ସ୍ବାଇଁଙ୍କୁ ଆକ୍ରମଣ କରିଥିବା ଥାନାରେ ପାଲଟା ଅଭିଯୋଗ ହୋଇଛି। ଅଭୟ ଏ ନେଇ ଏତଲା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share