ତିହିଡ଼ି,୩୦ା୧୨(ସଞ୍ଜିତ ବଳ): ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ଭଦ୍ରକ ଜିଲା ତିହିଡ଼ିର ଦହପାଣିଆ ଗ୍ରାମବାସୀ ସୋମବାର ଘେରାଉ କରିଛନ୍ତି। ରାସ୍ତାର ଶୋଚନୀୟ ଅବସ୍ଥା ପ୍ରତିବାଦରେ ସେମାନେ ପାଟିତୁଣ୍ଡ କରିବା ସହ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି। ତିହିଡ଼ି ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଅନୁଷ୍ଠିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମବାସୀ ଜିଲାପାଳ ଦିଲୀପ ରାଉତରାୟଙ୍କ ନିକଟରେ ଅଭିଯୋଗ କରି ପାଟିତୁଣ୍ଡ କରିବାରୁ କିଛି ସମୟ ପାଇଁ ପରିସ୍ଥିତି ଅଶାନ୍ତ ହୋଇଥିଲା l ବିଡିଓ ଜ୍ୟୋତିର୍ମୟ କର ଏଥିରେ ହସ୍ତକ୍ଷେପ କରି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ପରେ ଗ୍ରାମବାସୀ ନିର୍ବାହୀଯନ୍ତ୍ରୀ କାନନ ପ୍ରଧାନଙ୍କୁ ଘେରି ପାଟିତୁଣ୍ଡ କରିବା ସହ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଥିଲେ। ତେବେ ରାସ୍ତାର ଅବସ୍ଥା ଅନୁଧ୍ୟାନ କରିବା ପରେ ରାସ୍ତା ନିର୍ମାଣ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀଯନ୍ତ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସୂଚନାଯୋଗ୍ୟ, ମୁକୁନପୁର ପଞ୍ଚାୟତର ଗୁଡୁପାଳଠାରୁ କୁବେରା ପଞ୍ଚାୟତର ଢଳି ପୋଲ ଯାଏ ରାସ୍ତା ନିର୍ମାଣ ପାଇଁ ଅନୁଦାନ ମିଳିଥିଲେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ l ଯାହାଫଳରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି l ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ପରେ ବି ସୁଫଳ ପାଇ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।