ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ: ମୋହନଙ୍କ ଘରେ ବିଧାୟକଙ୍କ ମେଳିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର, ୧୨।୩ (ସୁନିତ୍‌ ମିଶ୍ର):ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ସୋମବାର ଭାଜପା ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଘରେ ଦଳୀୟ ବିଧାୟକମାନଙ୍କ ବୈଠକ ବସିଛି, ଯାହାକୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହୋଇଛି। ଦିଲ୍ଲୀରେ ଭାଜପା ରାଜ୍ୟ ସଭାପତି ଡେରା ପକାଇଥିବା ବେଳେ ଏହି ସମୟରେ ବିଧାୟକମାନଙ୍କ ମେଳକୁ ନେଇ ନାନା ପ୍ରକାର ଚର୍ଚ୍ଚା ଜୋର ଧରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୋହନ ମାଝୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ସାରେ କିଛି ଦଳୀୟ ବିଧାୟକ ଏକାଠି ହୋଇଛନ୍ତି। ବିଧାୟିକା କୁସୁମ ଟେଟେ, ବୁଢ଼ାନ ମୁର୍ମୁ, ଭାସ୍କର ମଢ଼େଇ ଓ ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏହି ବିଧାୟକମାନେ କାହିଁକି ଏକଜୁଟ ହୋଇଛନ୍ତି ଓ କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ତାହା ଜଣାପଡ଼ିନାହିଁ। ମାତ୍ର ବିଜେଡି ସହ ମେଣ୍ଟ ଚର୍ଚ୍ଚା ଭିତରେ ଭାଜପା ବିଧାୟକମାନଙ୍କ ଏହି ମେଳିକୁ ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ଚର୍ଚ୍ଚା ହେଉଛି, ରାଜ୍ୟରେ ବିଜେଡି ସହ ମେଣ୍ଟ ସପକ୍ଷରେ ବହୁ ବିଧାୟକ ଓ ନେତା ନାହାନ୍ତି। ସେମାନେ ନିରନ୍ତର ଭାବେ ଏହି ସମ୍ଭାବ୍ୟ ମେଣ୍ଟକୁ ବିରୋଧ କରି ଆସୁଛନ୍ତି। ସମ୍ଭବତଃ ଦଳୀୟ ବିଧାୟକମାନେ ଏକଜୁଟ ହୋଇ ସମ୍ଭାବ୍ୟ ମେଣ୍ଟକୁ ବିରୋଧ କରିବା ନିମନ୍ତେ ମୋହନ ମାଝୀଙ୍କ ଘରେ ବିଚାରବିମର୍ଶ କରୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share