ଅନ୍ତର୍ଦ୍ୱନ୍ଦ୍ୱ, ଆତ୍ମଘାତୀ କାର୍ଯ୍ୟ ପରାଜୟର କାରଣ

ବାଲେଶ୍ୱର,୧୭।୬(ମାନସ ବିଶ୍ୱାଳ): ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବିଜେଡିର ପରାଜୟ ପରେ ଦଳ ପକ୍ଷରୁ ରବିବାର ସ୍ଥାନୀୟ ଷ୍ଟେଶନ କ୍ଲବଠାରେ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏଥିରେ ସହର ଓ ବ୍ଲକ ଅଧୀନ ସମସ୍ତ ପଞ୍ଚାୟତର କର୍ମକର୍ତ୍ତା ଯୋଗ ଦେଇଥିଲେ। ବୈଠକରେ ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା ଅଧ୍ୟକ୍ଷତା କରି ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ସ୍ବରୂପ ଦାସ ଏବଂ ଏମ୍‌ପି ପ୍ରାର୍ଥିନୀ ଡ. ଲେଖାଶ୍ରୀ ସାମନ୍ତସିଂହାର ପରାଜୟର କାରଣ ସମ୍ପର୍କରେ ଆଲୋଚନା କରିଥିଲେ। ୨୬ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ସଭାପତି ପ୍ରମୁଖ ଦଳୀୟ ନେତୃବୃନ୍ଦ ଯୋଗଦେଇ ପରାଜୟର କାରଣ ସମ୍ପର୍କରେ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରି ଦଳ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ କେତେକ ଦଳୀୟ ନେତାଙ୍କ ଆତ୍ମଘାତୀ କାର୍ଯ୍ୟ ପାଇଁ ବିଜେଡିିକୁ ପରାଜୟ ବରଣ କରିବାକୁ ପଡ଼ିଲା ବୋଲି କହିଥିଲେ। ଏହାର ପ୍ରତିକାର କରା ନ ଗଲେ ଦଳ ଆହୁରି ଦୁର୍ବଳ ହେବ ବୋଲି ମତ ପ୍ରକାଶ ପାଇଥିଲା।

ବିଜେଡି ଜିଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଡ. ଲେଖାଶ୍ରୀସାମନ୍ତ ସିଂହାର ଏବଂ ପ୍ରାକ୍ତନ ବିଧାୟକ ସ୍ବରୂପ ଦାସ, ଜିଲାପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲା ସାଧାରଣ ସମ୍ପାଦକ ରଞ୍ଜନ ବାଗ୍‌, ବାଲେଶ୍ୱର ପୌର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, ପ୍ରାକ୍ତନ ପୌର ଉପାଧ୍ୟକ୍ଷ ତଥା ଜିଲା ସମ୍ପାଦକ ମନୋଜ କୁମାର ରାଉତ, ଜିଲାପରିଷଦ ସଦସ୍ୟା ସୋନାଲି ବିଶ୍ୱାଳ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଯୋଗଦେଇ ପରାଜୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ଦଳକୁ ଅଧିକ ଶୃଙ୍ଖଳିତ ଏବଂ ସୁଦଢ଼ କରିବା ପାଇଁ ସମସ୍ତ ନେତୃମଣ୍ଡଳୀଙ୍କୁ ଆହ୍ବାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ଯୁବନେତା ତଥା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସଂଗ୍ରାମ ମଲ୍ଲିକ, ଜଗଦୀଶ ବେହେରା, ଲକ୍ଷ୍ମୀକାନ୍ତ ଜେନା, ବରିଷ୍ଠ ନେତା ଗୌରୀ ବାରିକ, ଜିଲା ସମ୍ପାଦକ ସଞ୍ଜୀବ ମଣ୍ଡଳ, ବରେନ୍ଦ୍ର ସେଠୀ, ଅଜିତ ମହାପାତ୍ର, ଦୀପକ ଜେନା, ରାଜକିଶୋର ମହାଳିକ, ଗଣେଶ ଜେନା, ମମତା ଜେନା, ମନୋରଞ୍ଜନ ଦଳେଇ, ରାଜୀବଲୋଚନ ବେହେରା, ଅକ୍ରୂର ତରେଇ ପ୍ରମୁଖ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ମନୋଜ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Share