ଜମନକିରା,୧୪ା୮(ରବୀନ୍ଦ୍ର ପ୍ରସାଦ ଦାନି): ଜମନକିରା ବ୍ଲକ ଅଧ୍ୟକ୍ଷାଙ୍କ ଚାମ୍ବରରେ ପଶି ଗଣ୍ଡଗୋଳ କରିବା ଘଟଣାରେ ଜମନକିରା ପୋଲିସ ଜଣେ ସମିତି ସଭ୍ୟଙ୍କ ସହ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୁଚିଣ୍ଡା ଏସ୍ଡିଜେଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ ସର୍ଡ଼ା ପଞ୍ଚାୟତ ସମିତି ସଭ୍ୟ ସିରନୁସ ସୋରେନ ଏବଂ ତାଙ୍କ ସହଯୋଗୀ ଆଶିଷ ଦାସ।
ମିଳିଥିବା ସୂଚନା ମୁତାବକ, ଗତ ୧୧ ତାରିଖରେ ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ ବିଡ଼ିଓଙ୍କୁ ଡ଼ାକି ବିଭିନ୍ନ ଉନ୍ନୟନ କାମ ସମେତ ସର୍ଡା ୫ଟି ହାଇସ୍କୁଲ ରୂପାନ୍ତରଣ ଠିକା କାମ ବିଷୟରେ ଆଲୋଚନା କରିଥିଲେ। ସେଠାରେ ଉପସ୍ଥିତ ଥିବା ସର୍ଡା ସମିତି ସଭ୍ୟ ସିରନୁସ ଏହି କାମ ସେ କରିବେ ବୋଲି ଜିଦ୍ ଧରିଥିଲେ। ପୂର୍ବରୁ ଅନ୍ୟ କାମ କରି ସାରିଛ, ତେଣୁ ଏହାକୁ ଦିଆଯାଇପାରିବ ନାହିଁ ବୋଲି ବ୍ଲକ ଅଧ୍ୟକ୍ଷା ଭୋଇ କହିଥିଲେ। ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ବେଳେ ତାଙ୍କ ସହଯୋଗୀ ମଧ୍ୟ ଚାମ୍ବର୍ ଭିତରେ ପଶି ପାଟିତୁଣ୍ଡ କରିଥିଲେ। ଏ ନେଇ ବ୍ଲକ ଅଧ୍ୟକ୍ଷା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୮୯/୨୩) ରୁଜୁ କରି ତଦନ୍ତ କରିଥିଲା।