Categories: ଜାତୀୟ

ଥୋମାସ, ଜାଖରଙ୍କୁ କଂଗ୍ରେସ ଶୃଙ୍ଖଳା କମିଟି ନୋଟିସ

ନୂଆଦିଲ୍ଲୀ,୧୨।୪: ଦଳ ବିରୋଧୀ କାର୍ଯ୍ୟ ଲାଗି ଦୁଇ ବରିଷ୍ଠ କଂଗ୍ରେସ ନେତା କେ.ଭି. ଥୋମାସ ଏବଂ ସୁନୀଲ ଜାଖରଙ୍କୁ ଦଳୀୟ ଶୃଙ୍ଖଳା କମିଟି ପକ୍ଷରୁ ସୋମବାର ନୋଟିସ ଜାରି ହୋଇଛି। ଏ.କେ. ଆଣ୍ଟୋନିଙ୍କ ଅଧ୍ୟକ୍ଷତାରେ ଗଠିତ ଏଆଇସିସି ଶୃଙ୍ଖଳା କମିଟି ପଞ୍ଜାବ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖର ଏବଂ କେରଳ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥୋମାସଙ୍କୁ ନୋଟିସ ଜାରି କରି ସପ୍ତାହେ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କହିଛି। ସୂଚନାଯୋଗ୍ୟ, ରାଜ୍ୟ ସଭା ଆସନ ପାଇଁ ଟିକେଟ ନ ମିଳିବାରୁ ଥୋମାସ ଅସନ୍ତୁଷ୍ଟ ରହିଥିଲେ। ଏପ୍ରିଲ ୯ରେ ସିପିଆଇଏମ୍‌ ପାର୍ଟି କଂଗ୍ରେସ ଅବସରରେ ଆୟୋଜିତ ଏକ ସେମିନାରରେ ସେ ଯୋଗଦେଇଥିଲେ। ଏହି ଘଟଣା ପରେ ଥୋମାସଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯିବାକୁ କେରଳ କଂଗ୍ରେସ ପକ୍ଷରୁ ଦାବି ହୋଇଥିଲା।
ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜାଖରଙ୍କୁ ଅଣଦେଖା କରାଯିବାରୁ ସେ ଦଳକୁ ସମାଲୋଚନା କରିଥିଲେ। ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଦାୟୀ କରିଥିଲେ।

Share