Categories: ବାଣିଜ୍ୟ

ବିଜିୟୁର ନବାଗତ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୪।୮:ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଆୟୋଜିତ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ନୂତନ ଭାବେ ବିଜିୟୁର ବିଏ ଜେଏମ୍‌ସି ଏବଂ ଏମ୍‌ଏ ଜେଏମ୍‌ସି ବିଭାଗରେ ନାମ ଲେଖାଇଥିବା ନୂତନ ଛାତ୍ରୀଛାତ୍ରଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ରିଲାଏନ୍ସ ଜିଓର ବରିଷ୍ଠ ଅଧିକାରୀ ତଥା ଉପସଭାପତି ରୋହିତ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲାବେଳେ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ୍‌ର ବରିଷ୍ଠ ସମ୍ପାଦକ ଏବଂ ଲେଖିକା କସ୍ତୁରୀ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏ ସମ୍ପର୍କରେ ବିଜିୟୁର କୁଳପତି ପ୍ରଫେସର ପି.ପି.ମାଥୁର କହିଛନ୍ତି, ବର୍ତ୍ତମାନ ସମୟରେ ଶିକ୍ଷାର୍ଥୀମାନଙ୍କୁ ଲକ୍ଷ୍ୟ ଉଚ୍ଚ କରିବାକୁ ହେବ। ଏପରିକି ନିଜ ଦକ୍ଷତାର ବିକାଶ ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ସେହିଭଳି ବିଜିୟୁର କୁଳସଚିବ ପ୍ରଫେସର ବି. କେ. ଦାସ କହିଥିଲେ, ଉକ୍ତ ବୃତ୍ତି ଉଭୟ ଦୁଃସାହସ ଓ ଆକର୍ଷଣୀୟ ହୋଇଥିବାବେଳେ ବର୍ତ୍ତମାନର ପରିସ୍ଥିତିକୁ ସମ୍ମାନ ଜଣାଇବା ସହ ସାମ୍ନା କରିବାକୁ ହେବ। ଅପରପକ୍ଷରେ ବିର୍ଲା ସ୍କୁଲ ଅଫ୍‌ କମ୍ୟୁନିକେଶନର ମୁଖ୍ୟ ଡ. ଶିବଶଙ୍କର ଦାସ ସ୍ବାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଏପରିକି ନୂତନ ଭାବେ ନାମଲେଖାଇଥିବା ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ କରିବା ସହିତ ଗଣମାଧ୍ୟମର ବିଭିନ୍ନ ଦିଗ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ପରିଶେଷରେ ବିର୍ଲା ସ୍କୁଲ୍‌ ଅଫ୍‌ କମ୍ୟୁନିକେଶନର ଆସିଷ୍ଟାଣ୍ଟ ପ୍ରଫେସର ଡ.ଜ୍ଞାନରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଡିନ୍‌, ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ ଏବଂ ନୂତନ ଭାବେ ନାମଲେଖାଇଥିବା ବିଏ ଜେଏମ୍‌ସି ଏବଂ ଏମ୍‌ଏ ଜେଏମ୍‌ସିର ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ।

Share