ହୋମ୍‌ କ୍ୱାରାଣ୍ଟାଇନ ଆକ୍ରାନ୍ତଙ୍କୁ କଂଗ୍ରେସ ଦେବ ଔଷଧ

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ମହାମାରୀର ୨ୟ ଲହର ଭୁବନେଶ୍ୱର, କଟକରେ ସଂକ୍ରମଣ ହାର ବଢ଼ି ଏକ ଭୟାନକ ପରିସ୍ଥିତି ସୃଷ୍ଟି କଲାଣି। ଏହି ମୁହୂର୍ତ୍ତରେ କୋଭିଡ୍‌ ଆକ୍ରାନ୍ତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକ ଜିଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ ଓ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ପକ୍ଷରୁ ଦ୍ୱୈତ ଜିଲା କଂଗ୍ରେସ ମାଧ୍ୟମରେ ନିଃଶୁଳ୍କ ଭିଟାମିନ ବଟିକା ବଣ୍ଟନ କରାଯିବ। ଏନେଇ ଶୁକ୍ରବାର କଂଗ୍ରେସ ଭବନଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ଜିଲା କଂଗ୍ରେସ କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ଇନ୍‌ଚାର୍ଜ ସୁବ୍ରତ ମହାପାତ୍ର ସୂଚନା ଦେଇଛନ୍ତି।
ସୁବ୍ରତ ଏହି ଅବସରରେ କହିଛନ୍ତି, କଂଗ୍ରେସ କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ଜରିଆରେ ସାଧାରଣ ଲୋକଙ୍କୁ ସେବା, ସହଯୋଗ ଓ ସୂଚନା ଯୋଗାଇ ଦେଉଛି। ଭୁବନେଶ୍ୱର ଓ କଟକ ମ୍ୟୁନିସିପାଲିଟି ଏରିଆରେ ହୋମ୍‌ କ୍ୱାରାଣ୍ଟାଇନରେ ଥିବା କୋଭିଡ୍‌ ଆକ୍ରାନ୍ତକୁ ବିନା ମୂଲ୍ୟରେ ଭିଟାମିନ ବଟିକା ଯୋଗାଇ ଦିଆଯିବ। ଏହି ମେଡିସିନ ବଣ୍ଟନ ପ୍ରକ୍ରିୟା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସହଯୋଗରେ କରାଯିବ। ସେହିପରି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଛନ୍ତି, କୋଭିଡ୍‌ ପରିସ୍ଥିତି ପରିଚାଳନାରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ବିଫଳ। ରୋଗୀଙ୍କ ପାଇଁ ନା ଅକ୍ସିଜେନ ଯୋଗାଣ ଠିକ୍‌ରେ ହେଉଛି ନା ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣରେ ଶଯ୍ୟା ଉପଲବ୍ଧ ଅଛି। ସାଧାରଣ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛାତ୍ର କଂଗ୍ରେସ ନିଜସ୍ବ ଉଦ୍ୟମରେ ଲୋକଙ୍କ ପାଖକୁ ରାଶନ, ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ କୋଭିଡ୍‌ ଆକ୍ରାନ୍ତଙ୍କ ବିଭିନ୍ନ ସମସ୍ୟା ନେଇ ସାହାଯ୍ୟ ଓ ସହଯୋଗ କରୁଛି। ବିଶ୍ୱଜିତ କହିଛନ୍ତି, ଏହି ଭିଟାମିନ ବଟିକା ବଣ୍ଟନ ପ୍ରକ୍ରିୟା ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ, ଦରକାର ପଡ଼ିଲେ ଏହାର ସମୟସୀମା ବୃଦ୍ଧି କରାଯିବ। ଏହି ସୁବିଧା କେବଳ କୋଭିଡ୍‌ ରୋଗୀ ଯେଉଁମାନେ ହୋମ୍‌ କ୍ୱାରାଣ୍ଟାଇନରେ ଅଛନ୍ତି ସେମାନଙ୍କ ପାଇଁ ଉପଲବ୍ଧି ହେବ। ଏହାଦ୍ୱାରା ବିଶେଷକରି ବୟସ୍କ ଲୋକ ଏବଂ ଶିଶୁ ଉପକୃତ ହେବେ। ଆଗକୁ ରାଜ୍ୟର ସବୁ ଜିଲାରେ ଏହି ସୁବିଧା ଲୋକଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Share